ନୂଆଦିଲ୍ଲୀ,ଏଜେନ୍ସି : ଶନିବାର ଦିଲ୍ଲୀ-ଏନ୍ସିଆର୍ ଓ ଉତ୍ତରପ୍ରଦେଶର ଅଧିକାଂଶ ଭାଗରେ ପ୍ରବଳ ବର୍ଷା ଓ ତୋଫାନ୍ ହୋଇଯାଇଛି। ଶନିବାର ସକାଳେ ଦିଲ୍ଲୀ ଆକାଶ ମେଘାଚ୍ଛନ୍ନ ଥିଲା। ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ସେଲସିୟସ୍ ଥିଲା। ସକାଳ ପ୍ରାୟ ୯ଟାରୁ ଢେର କିଛିଘଣ୍ଟା ଧରି ବର୍ଷା ହେବା ଫଳରେ ଏମ୍ସ ସମେତ ଅନ୍ୟାନ୍ୟ ଅଞ୍ଚଳରେ ଟ୍ରାଫିକ୍ ଜାମ ହୋଇଯାଇଥିଲା। ସେହିପରି ଶୁକ୍ରବାର ରାତିରୁ ଉତ୍ତରପ୍ରଦେଶର ଅଧିକାଂଶ ଜିଲ୍ଲାରେ ପ୍ରବଳ ଝଡ଼ବର୍ଷା ଜାରି ରହିଛି। ଝଡ଼ତୋଫାନ ଫଳରେ ଉତ୍ତରପ୍ରଦେଶରେ ଅନ୍ୟୂନ ୬ ଜଣ ଲୋକ ପ୍ରାଣ ହରାଇଛନ୍ତି। ହଜାର ହଜାର ଏକର ଜମିରେ ଫସଲ ନଷ୍ଟ ହୋଇଯାଇଛି।
ଫସଲ ହରାଇଥିବା ଚାଷୀମାନେ ସରକାରଙ୍କଠାରୁ କ୍ଷତିପୂରଣ ଦାବି କରିଛନ୍ତି। ଶନିବାର ଝାଡ଼ଖଣ୍ଡର ବହୁ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇଯାଇଛି ବୋଲି ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ହଜାରିବାଗ ଜିଲ୍ଲାରେ ସର୍ବାଧିକ ୯୮.୨ ମିଲି ବର୍ଷା ହୋଇଥିଲାବେଳେ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ବର୍ଷା ଓ ତୋଫାନ ଦେଖିବାକୁ ମିଳିଛି। ଆସନ୍ତା ଦୁଇଦିନ ପାଇଁ ଆକାଶ ମେଘୁଆ ରହିବା ସହ କୋହଲା ପାଗ ଦେଖିବାକୁ ମିଳିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।