ମୁମ୍ବାଇରେ ପ୍ରବଳ ବର୍ଷା; ଅଟକିଲା ଲୋକାଲ ଟ୍ରେନ୍ ସେବା, ରେଳଧାରଣା ବୁଡ଼ିଲା

ମୁମ୍ବାଇ,ଏଜେନ୍ସି: ଦେଶର ଅଧିକାଂଶ ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ରହିଛି। ଫଳରେ ବର୍ଷା ଲାଗି ରହିଛି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ବିଗତ କିଛି ଦିନ ହେବ ପ୍ରବଳ ବର୍ଷା ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ ମୁମ୍ବାଇରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ମୁମ୍ବାଇରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ବୁଧବାର ପ୍ରବଳ ବର୍ଷା ହେବାରୁ ଉମ୍ବୋରମାଳୀ ରେଳଷ୍ଟେସନ ଏବଂ କସାରା ମଧ୍ୟରେ ରେଳ ସେବା ଅଟକାଇ ଦିଆଯାଇଛି। ରେଳଧାରଣାରେ ପାଣି ଭର୍ତ୍ତି ହୋଇଯାଇଛି।

ସେଣ୍ଟରାଲ ରେଲୱେ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଶିବାଜୀ ସୁତାର କହିଛନ୍ତି, ଦୂରଗାମୀ ଟ୍ରେନରେ ପୁଣେ-ଦରଭଙ୍ଗା ସ୍ୱତନ୍ତ୍ର ଏବଂ ସିଏସଏମଟି-ବାରାଣସୀ ସ୍ୱତନ୍ତ୍ର ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି। ମଙ୍ଗଳବାର ବିଳମ୍ବିତ ରାତିଠାରୁ ବୁଧବାର ରାତି ୧୦ଟା ପର୍ଯ୍ୟନ୍ତ କସାରାରେ ୨୦୭ ମିଲିମିଟର ବର୍ଷା ହୋଇଛି। ଏଥିରୁ କେବଳ ଗୋଟିଏ ଘଣ୍ଟା ମଧ୍ୟରେ ୪୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ବୃହନମୁମ୍ବାଇ ମହାନଗରପାଳିକାର ଜଣେ ଅଧିକାରୀ କହିଛନ୍ତି, ମୁମ୍ବାଇରେ ବୁଧବାର ସକାଳ ୮ଟା ପରେ ରାତି ୧୦ ଟା ପର୍ଯ୍ୟନ୍ତ ୬୮.୭୨ ମିଲିମିଟର ବର୍ଷା ହୋଇଛି। ପୂର୍ବ ଏବଂ ପଶ୍ଚିମ ଉପନଗରରେ ଯଥାକ୍ରମେ ୫୮.୭୫ ମିଲିମିଟର ଏବଂ ୫୮.୨୪ ମିଲିମିଟର ବର୍ଷା ରେକର୍ଡ ହୋଇଛି। ବୁଧବାର ଅପରାହ୍ନରେ ବର୍ଷା ସାମାନ୍ୟ କମିଥିଲା, କିନ୍ତୁ ରାତିରେ ପୁଣି ଏହା ବଢ଼ିଯାଇଥିଲା।