ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଖୁବ ଶୀଘ୍ର ଝାରସୁଗୁଡାରେ ବେଦାନ୍ତ ପାଥୋଲୋଜି ଲ୍ୟାବ୍ ଏବଂ ଡାଇଗ୍ନୋଷ୍ଟିକ୍ କେନ୍ଦ୍ର ନିର୍ମାଣ କରିବ। ଏଥିପାଇଁ ଆଜି ବେଦାନ୍ତ ପକ୍ଷରୁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ବରଗଡ ସାସଂଦ ସୁରେଶ ପୂଜାରୀ, ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି, ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ, ବେଦାନ୍ତ ଲିମିଟେଡ୍, ଝାରସୁଗୁଡାର ସିଇଓ ସିଏନ୍ ସିଂ, ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଲାଲ ମୋହନ ରାଉତ ରାୟ ପ୍ରମୁଖଙ୍କ ସହ ବେଦାନ୍ତ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ। ।
ବେଦାନ୍ତ ଝାରସୁଗୁଡା ଏବଂ ଏସଆରଏଲ ଡାଇଗୋନଷ୍ଟିକର ମିଳିତ ସହଭାଗିତାରେ ବେଦାନ୍ତ ପାଥୋଲୋଜି ଲ୍ୟାବ୍ ଏବଂ ଡାଇଗ୍ନୋଷ୍ଟିକ୍ କେନ୍ଦ୍ରରେ ଅତ୍ୟାଧୁନିକ ବହୁମୁଖୀ ସ୍ୱାସ୍ଥ୍ୟସେବା ଉପଲବ୍ଧ ହେବ।
ଏହି କେନ୍ଦ୍ରରେ ରେଡିଓଲୋଜି, ମ୍ୟାମୋଗ୍ରାଫି, ଇସିଜି, ପିଏଫଟି, ଟିଏମଟି, ଭିଜନ, ଡିଜିଟାଲ୍ ଏକ୍ସ-ରେ, ଅଡିଓମେଟ୍ରି ପରି ୫୦୦ରୁ ଅଧିକ ପରୀକ୍ଷା ଏବଂ ବିଶେଷ ସେବା ପ୍ରଦାନ କରାଯିବ। ଆଜି ଏହି କେନ୍ଦ୍ରର ଭୂମିପୂଜନ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି ଆଜିର ଦିନ ଝାରସୁଗୁଡା ପାଇଁ ଏକ ଖୁସିର ଦିନ। ଏକ ଅତ୍ୟାଧୁନିକ ଡାଇଗୋନେଷ୍ଟିକ ସେଣ୍ଟରର ନିର୍ମାଣ ପାଇଁ ଆଜି ହୋଇଥିବା ଭୂମିପୂଜନ ଝାରସୁଗୁଡା ନୂତନ ନିର୍ମାଣର ଏକ ଅଂଶ ବିଶେଷ। ଏଠାରେ ଗରିବ ବିପିଏଲ ଶ୍ରେଣୀର ଲୋକଙ୍କୁ ମାଗଣା ଚିକିତ୍ସା ସେବା ପ୍ରଦାନ କରାଯିବ। ସାଧାରଣ ବର୍ଗର ଲୋକଙ୍କଠାରୁ ସର୍ବନିମ୍ନ ରାଶି ଫି ଆକାରରେ ନିଆଯିବ। ସେହିପରି ଯେଉଁ ବୟସ୍କ ବ୍ୟକ୍ତିମାନଙ୍କର ଆୟ ୪୦ ହଜାରରୁ କମ ତାଙ୍କର ଚିକିତ୍ସା ପାଇଁ ଡିଏମଏଫ ପାଣ୍ଠିରୁ ଅର୍ଥ ବିନିଯୋଗ କରିବାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି। ସେହିପରି ଆଗାମୀ ଦିନରେ ଝାରସୁଗୁଡାରେ ଏକ ମେଡିକାଲ କଲେଜ କରିବା ପାଇଁ ଉଦ୍ୟମ କରାଯିବ ଏବଂ ୨୦୨୧ ଡିସେମ୍ବର ମଧ୍ୟରେ ଝାରସୁଗୁଡାରେ ହାର୍ଟ ହସ୍ପିଟାଲର ନିର୍ମାଣ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି। ସେ ଆହୁରି କହିଛନ୍ତି ଝାରସୁଗୁଡାର ବିକାଶ ପାଇଁ ନିଜେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଓ ବରଗଡ ସାଂସଦ ସୁରେଶ ପୂଜାରୀ ଦଳ ମତ ନିର୍ବିଶେଷରେ ଏକ ହୋଇ କାମ କରିବେ।