ଜମି ପଟ୍ଟା ଓ ପେନସନ ବାଣ୍ଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଆଜି ଝାରସୁଗୁଡ଼ାର ୫୫ଜଣ ଭୂମିହୀନଙ୍କୁ ରାଜ୍ୟ ସରକାରଙ୍କ ଜାଗା ମିଶନ ଜରିଆରେ ପଟ୍ଟା ଓ ୭୧୧ ଜଣଙ୍କୁ ମଧୁବାବୁ ପେନସନ ଯୋଜନାରେ ପେନସନ ପ୍ରଦାନ କରିଛନ୍ତି। ପୂର୍ବରୁ ୨୫୫ ଜଣ ଭୂମିହୀନଙ୍କୁ ପଟ୍ଟା ପ୍ରଦାନ କରାଯାଇଥିବାବେଳେ ଆହୁରି ୧୭୭ ଜଣଙ୍କୁ ପଟ୍ଟା ପ୍ରଦାନ କରାଯିବ। ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ, ଘରଦ୍ୱାର ଜମିବାଡ଼ି ଶୂନ୍ୟ ଲୋକେ ଆଉ ଅବହେଳିତ ହୋଇ ରହିବେ ନାହିଁ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୂମିହୀନଙ୍କ ସୁବିଧା ପାଇଁ ବସୁନ୍ଧରା ପରି ଯୋଜନା କରିଛନ୍ତି। ତାଙ୍କର ବିଭିନ୍ନ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ରାଜ୍ୟର ଗରିବ ହିତାଧିକାରୀଙ୍କୁ ଜମି ତଥା ବିଜୁ ପକ୍କା ଘର ଯୋଗାଇ ଦିଆଯଉଛି। ଆଗାମୀ ଦିନରେ ଝାରସୁଗୁଡ଼ାର ଆହୁରି ଭୂମିହୀନଙ୍କୁ ଜମି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ଏକ ବିକଶିତ ରାଜ୍ୟ ହେବା ସହ ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ ଓ ନିଯୁକ୍ତି କ୍ଷେତ୍ରରେ କୌଣସି ସମସ୍ୟା ରହିବ ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ପୌର ନିର୍ବାହୀ ଅଧିକାରୀ ଯୋଗେନ୍ଦ୍ର ମାଝୀ, ପୂର୍ବତନ ନଗରପାଳ ହରିଶ ଗଣତ୍ରା, ସନ୍ଦିପ ଅବସ୍ତି, ମନୋରଞ୍ଜନ ମାହାପାତ୍ର ଓ ପିଣ୍ଟୁ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।