ବାଲେଶ୍ଵର,ଏନ୍ଏନ୍ଏସ୍: ଛାତ୍ର ପଣିକିଆ କହି ନପାରିବାରୁ ବନ୍ଦ ହେଲା ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା। ମଠସାହି ମହାବୀର ନୋଡାଲ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଓ ଶ୍ରେଣୀ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଏଥିରୁ ଜଣାପଡ଼ୁଛି ଯେ ବର୍ତ୍ତମାନ ଆକ୍ସନ ମୋଡରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।
ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ବାଲେଶ୍ଵର ଜିଲ୍ଲା ଗସ୍ତରେ ଆସି ଥିବା ବେଳେ ସେ ଅଚାନକ ବିଭିନ୍ନ ସ୍କୁଲ ପରିଦର୍ଶନ କରିଥିଲେ। ତେବେ ଉକ୍ତ ସ୍କୁଲ ମାନଙ୍କରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ତଦାରଖ କରିବା ସହ ପିଲାଙ୍କୁ କିଭଳି ଶିକ୍ଷାଦାନ ହେଉଛି ତାର ଯାଞ୍ଚ କରିଥିଲେ। ଏହି କ୍ରମରେ ସେ ହଠାତ ମଠସାହି ମହାବୀର ନୋଡାଲ ସ୍କୁଲରେ ପହଞ୍ଚିଥିଲେ। ସେଠାରେ ପିଲାଙ୍କୁ ପାଠ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚାରିବା ସହ ତୃତୀୟ ଶ୍ରେଣୀ ପିଲାକୁ ପଣିକିଆ ପଚାରିଥିଲେ। ଛାତ୍ରଙ୍କ ଠାରୁ ସନ୍ତୋଷ ଜନକ ଉତ୍ତର ନପାଇବାରୁ ସେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ତାଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ୧୫ ଦିନ ମଧ୍ୟରେ ଏହାର ଜବାବ ଦେବାକୁ କୁହାଯାଇଛି।