ହିଜ୍‌ବୁଲ୍ ମୁଜାହିଦ୍ଦିନ କମାଣ୍ଡର ସୈଫୁଲ୍ଲା ନିହତ

ଶ୍ରୀନଗର,ଏଜେନ୍ସି: ଶ୍ରୀନଗରରେ ଏକ ଏନ୍‌କାଉଣ୍ଟରରେ ଆତଙ୍କୀ ସଂଗଠନ ହିଜ୍‌ବୁଲ ମୁଜାହିଦ୍ଦିନର ଟପ୍ କମାଣ୍ଡର ସୈଫୁଲ୍ଲା ମିର୍ ନିହତ ହୋଇଛି ଏବଂ ତା’ର ଜଣେ ସହଯୋଗୀକୁ ଜୀବିତ ଧରାଯାଇଛି । ଜମ୍ମୁ-କଶ୍ମୀର ପୁଲିସ ଏବଂ ସିଆର୍‌ପିଏଫ୍‌ର ମିଳିତ ଅପରେସନ୍‌ରେ ଏହି ସଫଳତା ମିଳିଛି । ହିଜ୍‌ବୁଲ୍ ମୁଜାହିଦ୍ଦିନ୍‌ର ଟପ୍ କମାଣ୍ଡର ରିୟାଜ ନାଇକୁ ନିହତ ହେବା ପରେ ସୈଫୁଲ୍ଲାକୁ ସଂଗଠନର ଜମ୍ମୁ-କଶ୍ମୀର ମୁଖ୍ୟ ଭାବେ ଦାୟିତ୍ୱ ଦିଆଯାଇଥିଲା । ତେବେ ଜମ୍ମୁ-କଶ୍ମୀରରେ ପୁଲିସର ନେଟ୍‌ୱାର୍କ ବହୁତ ଭଲ ରହିଛି ବୋଲି କଶ୍ମୀର ଆଇଜି ବିଜୟ କୁମାର କହିଛନ୍ତି ।

ସୈଫୁଲ୍ଲା ମେଡ଼ିକାଲ୍ ପାଠ୍ୟକ୍ରମ ଶେଷ କରିଥିବାରୁ ତାକୁ ଆତଙ୍କୀଙ୍କ ଡାକ୍ତର ବୋଲି ମଧ୍ୟ କୁହାଯାଏ । ସେ ଆହତ ଆତଙ୍କୀଙ୍କ ଚିକିତ୍ସା କରିବା ବେଳେ ତାଙ୍କ ବ୍ରେନ୍‌ୱାଶ୍ କରାଯାଇଥିଲା । ୨୦୧୨ରେ ସେ ହିଜ୍‌ବୁଲ ମୁଜାହିଦ୍ଦିନ୍‌ରେ ଯୋଗଦେଇ ଆତଙ୍କୀ ଭାବେ ଜୀବନ ଆରମ୍ଭ କରିଥିଲା । ସେ ଜମ୍ମୁ-କଶ୍ମୀରର ପୁଲୱାମା ସ୍ଥିତ ପଦଗାଁପୁରାର ରହୁଥିଲା ଏବଂ ଗତ ଆଠମାସ ହେଲା ସ୍ଥାନୀୟ ଅଞ୍ଚଳରେ ସକ୍ରିୟ ଥିଲା । ରିୟାଜ ନାଇକୁ ନିହତ ହେବା ପରେ ସୈଫୁଲ୍ଲା ନିର୍ଦ୍ଦେଶରେ ହିଜ୍‌ବୁଲ୍ ମୁଜାହିଦ୍ଦିନ ପକ୍ଷରୁ ଜମ୍ମୁ-କଶ୍ମୀରରେ ଆତଙ୍କୀ ଆକ୍ରମଣ କରାଯାଉଥିଲା ।