ହାର୍ଦ୍ଦିକ ଆହତ: ୨୦୨୦ ଆଇପିଏଲ୍ ପର୍ଯ୍ୟନ୍ତ ଫେରିବେନି

ନୂଆଦିଲ୍ଲୀ: ଭାରତୀୟ ଦଳର ପ୍ରଥମ ପ୍ରସନ୍ଦ ଅଲ୍ରାଉଣ୍ଡର ଏବେ ଆହତ ଅଛନ୍ତି। ତାଙ୍କ ପିଠିରେ ଯନ୍ତ୍ରଣା ଯୋଗୁଁ ସେ ଚିକିତ୍ସା ପାଇଁ ସେ ଏବେ ଇଂଲଣ୍ଡ ଗସ୍ତ କରିବେ। ଏହି ଆହତ ସମସ୍ୟା ପାଇଁ ହାର୍ଦ୍ଦିକ ଆସନ୍ତା ବାଂଲାଦେଶ ବିପକ୍ଷ ସିରିଜ ପାଇଁ ଦଳରେ ସାମିଲ ହେବେ ନାହିଁ। ତାଙ୍କ ପୂର୍ବରୁ ଶ୍ରେଷ୍ଠ ଦ୍ରୁତ ବୋଲର ଯଶପ୍ରୀତ୍ ବୁମରା ଏହି ଆହତ ସମସ୍ୟା ପାଇଁ ଚଳିତ ସାଉଥ୍ ଆଫ୍ରିକା ବିପକ୍ଷ ସିରିଜରୁ ବାଦ୍ ପଡ଼ିଛନ୍ତି। ସେ ଏବେ ଚିକିତ୍ସା ପାଇଁ ଇଂଲଣ୍ଡ ଯାଇଛନ୍ତି। ହାର୍ଦ୍ଦିକଙ୍କ ଏହି ଆହତ ସମସ୍ୟା ତାଙ୍କୁ ଦୀର୍ଘଦିନ କ୍ରିକେଟରୁ ଦୂରେଇ ରଖିବାର ସମ୍ଭାବନା ଆଶଙ୍କା ସୃଷ୍ଟି କରିଛି।

ଏପରିକି ସେ ୨୦୨୦ ଆଇପିଏଲ୍ ପୂର୍ବରୁ ଦଳକୁ ଫେରିପାରିବେ ନାହିଁ ବୋଲି ଜଣାପଡିଛି। ପୂର୍ବରୁ ହାର୍ଦ୍ଦିକ ଗତ ଏସିଆ କପ୍ ସମୟରେ ଏହି ଆହତ ସମସ୍ୟା ଅନୁଭବ କରିଥିଲେ। ଏଥିପାଇଁ ସେ ଇଂଲଣ୍ଡରେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ଏବେ ସେହି ଡାକ୍ତର ତାଙ୍କର ଚିକିତ୍ସା କରିବେ। ତାଙ୍କ ଚିକିତ୍ସା ପାଇଁ ଜର୍ମାନୀ ଓ ଇଂଲଣ୍ଡକୁ ଚୟନ କରାଯାଇଥିବା ବେଳେ ହାର୍ଦ୍ଦିକ ଇଂଲଣ୍ଡରେ ଚିକିତ୍ସିତ ହେବା ପାଇଁ ଇଛା ପ୍ରକାଶ କରିଛନ୍ତି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

୨୦୨୦ ଟି-୨୦ ବିଶ୍ୱକପରେ ହାର୍ଦ୍ଦିଙ୍କ ଉପସ୍ଥିତି ଭାରତୀୟ ଦଳ ପାଇଁ ବେଶ ଜରୁରୀ, ଏଥିପାଇଁ ସେ ଶର୍ଟଫର୍ମାଟ କ୍ରିକେଟ୍ ଖେଳିବା ଜାରି ରଖିବା ପାଇଁ ତାଙ୍କୁ ଟେଷ୍ଟ ଦଳରେ ସାମିଲ କରାଯାଇନଥିଲା ବୋଲି ଚୟନ କମିଟି ମୁଖ୍ୟ ଏମ୍ଏସକେ ପ୍ରସାଦ ପ୍ରକାଶ କରିଛନ୍ତି। କିନ୍ତୁ ଏବେ ହାର୍ଦ୍ଦିକଙ୍କ ଆହତ ଦଳ ପାଇଁ ସମସ୍ୟା ସୃଷ୍ଟି କରିଛି।

ହାର୍ଦ୍ଦିକ ୧୧ଟି ଟେଷ୍ଟରୁ ୧୭ୱିକେଟ୍ ସହ ୫୩୨ ରନ୍, ୫୪ଟି ଦିନିକିଆରୁ ୯୩୭ ରନ୍ ସହ ୫୪ଟି ୱିକେଟ୍ ଏବଂ ୪୦ଟି ଟି-୨୦ ମ୍ୟାଚରୁ ୩୮ଟି ୱିକେଟ୍ ସହ ୩୧୦ ରନ୍ ସଂଗ୍ରହ କରିଛନ୍ତି। ଆସନ୍ତା ନଭେମ୍ବର ୩ ତାରିଖରୁ ବାଂଲାଦେଶ ଗସ୍ତରେ ଭାରତ ୩ଟି ଟି-୨୦ ଓ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବ। ହାର୍ଦ୍ଦିକ ଆହତ ଯୋଗଉଁ ଏହି ସିରିଜରେ ସାମିଲ ହୋଇପାରିବେନି।