ନବରଙ୍ଗପୁର,ଏନ୍ଏନ୍ଏସ୍: ଜିଲ୍ଲାର ଟିର୍ଲି ଆମ୍ବାଗୁଡା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଆଜାଦି କା ଅମୃତ ମହୋତ୍ସବ ଅବସରରେ ହର୍ ଘର୍ ତ୍ରିରଙ୍ଗା ସଚେତନତା କାର୍ଯ୍ୟକ୍ରମ ଏବଂ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାରତମାତାର ବୀର ମାନଙ୍କ ତ୍ୟାଗ ଓ ବଳିଦାନ ସମ୍ପର୍କରେ ସ୍ମୃତିଚାରଣ କରାଯାଇଥିଲା। ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ସହକାରୀ ପ୍ରଫେସର ମନ୍ମଥ କୁମାର ମାଝୀ ପତାକା ଦେଖାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ।
ଜାତୀୟ ସେବା ଯୋଜନା ଅଧିକାରୀ ସହକାରୀ ପ୍ରଫେସର ରାଜୀବ ଜାଲଙ୍କ ତତ୍ତ୍ଵାବଧାନରେ ଶୋଭାଯାତ୍ରା ମହାବିଦ୍ୟାଳୟରୁ ବାହାରି ପୋଷ୍ୟ ଗ୍ରାମ ତୀର୍ଲିଆମ୍ବଗୁଡ଼ା ଅଭିମୁଖେ ଯାଇଥିଲା। ଗ୍ରାମ ପରିକ୍ରମା ସମୟରେ ଉପସ୍ଥିତ ଜନସାଧାରଣଙ୍କୁ ମହୋତ୍ସବ ପାଳନର ତାତ୍ପର୍ଯ୍ୟ ଓ ପ୍ରତ୍ୟେକ ଘରେ ଯେପରି ଏହାକୁ ଅତି ଆଦରର ସହିତ ପାଳନ କରିବେ ସେଥିପାଇଁ ସମସ୍ତଙ୍କୁ ପ୍ରେରଣା ପ୍ରଦାନ କରାଯାଇଥିଲା। ଗ୍ରାମର ଛୋଟପିଲା ମାନଙ୍କୁ ମଧ୍ୟ ତ୍ରିରଙ୍ଗା ପତାକାକୁ କିପରି ଏବଂ କାହିଁକି ସମ୍ମାନ କରିବା, ସେ ବିଷୟରେ ଛାତ୍ରଛାତ୍ରୀମାନେ ବୁଝାଇଥିଲେ।
ଶ୍ରାବଣ କୁମାର ପୁଝାରୀ, ଜିଭିଭି ରଞ୍ଜିତା, ସୁଲୋଚନା ନାୟକ, ପଲ୍ଲବୀ ସାହୁ, ଯୁଗଳ କର୍କରା ପ୍ରମୁଖ ଅତିଥି ଅଧ୍ୟାପକ ଅଧ୍ୟାପିକା ଉକ୍ତ ଶୋଭାଯାତ୍ରାର ପ୍ରମୁଖ ଦାୟିତ୍ଵ ତୁଲାଇଥିଲେ। ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସ୍ବେଚ୍ଛାସେବୀ ଅଂଶଗ୍ରହଣ କରି ଶୋଭାଯାତ୍ରାକୁ ସଫଳ କରାଇଥିଲେ।