ନିର୍ଭୟା ଦୋଷୀଙ୍କୁ ଦିଆଗଲା ଫାଶୀ

ନୂଆଦିଲ୍ଲୀ,ଏଜେନ୍ସି: ୭ ବର୍ଷର ଅପେକ୍ଷାର ଆଜି ଅନ୍ତ ହୋଇଛି। ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଆଜି ସକାଳ ୫ଟା ୩୦ରେ ଫାଶୀ ଦିଆଯାଇଛି। ତେବେ ଦୁଷ୍କର୍ମକାରୀମାନେ ବିଭିନ୍ନ ଗଳାବାଟ ଦେଇ ଫାଶୀରୁ ବର୍ତ୍ତିବାକୁ ଚେଷ୍ଟା କରୁଥିବା ବେଳେ ଆଜି ସତ୍ୟର ବିଜୟ ହୋଇଛି।

ଫାଶୀ ପୂର୍ବରୁ ଦୋଷୀମାନଙ୍କୁ ଭୋର ୪ଟାରୁ ଫାଶୀ ସ୍ଥଳୀକୁ ନିଆଯାଇଥିଲା। ତେବେ ଫାଶୀ ପୂର୍ବରୁ ଦୋଷୀମାନେ ରାତିସାରା ଶୋଇନଥିବା ଜଣାପଡିଛି। ଏହାପରେ ୫ଟା ବେଳେ ସେମାନଙ୍କୁ ଫାଶୀ ଫନ୍ଦାକୁ ନିଆଯାଇଥିଲା ସେଠାରେ ତାଙ୍କ ବେକରେ ରଶୀ ଲଗାଯାଇଥିଲା। ପରେ ସେମାନଙ୍କ ଗୋଡ ବନ୍ଧାଯାଇଥିଲା। ଏହାପରେ ଠିକ୍ ୫ଟା ୩୦ରେ ସେମାନଙ୍କୁ ଫାଶୀ ଦିଆଯାଇଛି। ଫାଶୀର ଠିକ୍ ୩୦ ମିନିଟ ପରେ ତାଙ୍କୁ ତଳକୁ ଓହ୍ଲାଇବା ପରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି।ସେଠାରୁ ଶବକୁ ବ୍ୟବଚ୍ଛେଦ ପାଇଁ ଦିନଦୟାଲ ହସ୍ପଟାଲକୁ ପଠାଯିବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।

ଏହି ଫାଶୀ ସମୟରେ ତିହାର ଜେଲ ସାମ୍ନାରେ ଲୋକମାନଙ୍କ ଭିଡ ଦେଖିବାକୁ ମିଳିଥିଲା। ସେହିପରି ନିର୍ଭୟାଙ୍କ ମା ଖୁସି ଜାହିର କରିଛନ୍ତି। ନିର୍ଭୟାଙ୍କୁ ଆଜି ନ୍ୟାୟ ମିଳିଛି ବୋଲି କହିଛନ୍ତି। ଏ ନେଇ ସେ ତାଙ୍କ ଝିଅଙ୍କ ଫଟୋକୁ ଛାତିରେ ଲଗାଇ କାନ୍ଦିଥିଲେ। ଏଥିସହ ସେ କହିଛନ୍ତି ଯେ ସେ କୋର୍ଟକୁ ଅପିଲ କରିବେ ଯେ ଦୋଷୀମାନଙ୍କୁ ତୁରନ୍ତ ଦଣ୍ଡ ଦେବାକୁ।