ହାଇୱା – ବାଇକ ଧକ୍କାରେ ଜଣେ ମୃତ ଓ ୨ ଗୁରୁତର

ଦେବଗଡ଼,ଏନ୍ଏନ୍ଏସ୍ : କୁଂଢ଼େଇଗୋଲା ଥାନା ଅନ୍ତର୍ଗତ ଫୁଲଝରୀ-ମହାସିନ୍ଧୁ ଗ୍ରାମ ରାସ୍ତାରେ ବାଇକ ଓ ହାଇୱା ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି ଓ ୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମିଳିଥିବା ରିପୋର୍ଟ ମୁତାବିକ, ଆଜି ଦିନ ପ୍ରାୟ ଗୋଟାଏ ସମୟରେ ଫୁଲଝରୀ ଗ୍ରାମର ସଞ୍ଜୟ ପ୍ରଧାନ (୩୦), ତାଙ୍କ ସ୍ତ୍ରୀ ଲିପିକା ପ୍ରଧାନ (୨୭) ଓ ୪ବର୍ଷର ପୁଅ କ୍ରିଷଙ୍କ ସହ ବଡ଼ତଇଲା ଗ୍ରାମରେ କୌଣସି କାମ ସାରି ନିଜ ଘରକୁ ବାଇକ ଯୋଗେ ଫେରୁଥିଲେ। ସେହି ସମୟରେ ମହାସିନ୍ଧୁ ଗ୍ରାମ ନିକଟରେ ସାମ୍ନା ପଟରୁ ଆସୁଥିବା ଏକ ହାଇୱା ମୁହାଁମୁହିଁ ଧକ୍କା ଦେବା ଫଳରେ ସେମାନେ ରାସ୍ତା ଉପରକୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ପରେ ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସହାୟତାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ଲିପିକା ଆଖି ବୁଜି ଥିବାବେଳେ ସ୍ୱାସ୍ଥ୍ୟବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ସଞ୍ଜୟ ଓ ପୁଅ କ୍ରିଷଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।