ହାଇଓ୍ଵା ଧକ୍କାରେ ଚାଲିଗଲା ତୃତୀୟ ଶ୍ରେଣୀ ଛାତ୍ରର ଜୀବନ

ଜଗତସିଂହପୁର,ଏନ୍ଏନ୍ଏସ୍: କଟକ ପାରଦୀପ ରାସ୍ତା ଅନ୍ତର୍ଗତ ଭୂତମୁଣ୍ଡେଇର ବରେଇ ଛକ ଠାରେ ଶନିବାର ପୂର୍ବାହ୍ଣରେ ଗୋଟାଏ ହାଇଓ୍ଵା ଟ୍ରକ୍‌ ଜଣେ ତୃତୀୟ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ଜଣ ଆହତ ଅଛନ୍ତି।
ମୃତ ଛାତ୍ର ଜଣଙ୍କ ହେଉଛନ୍ତି ବରେଇ ଗାଁ’ର ସ୍ୱର୍ଗତ ରଞ୍ଜନ କୁମାର ପୃଷ୍ଟିଙ୍କ ପୁଅ କାହ୍ନୁଚରଣ ମହାନ୍ତି। ସେ ଭୂତମୁଣ୍ଡେଇ ସରସ୍ୱତୀ ଶିଶୁ ମନ୍ଦିରରେ ତୃତୀୟ ଶ୍ରେଣୀରେ ଅଧ୍ୟୟନ କରୁଥିଲେ।

ଆଜି ସକାଳେ କାହ୍ନୁ ସାଇକେଲ ଯୋଗେ ଟିଉସନ୍‌ ଯାଉଥିବାବେଳେ ଏକ ହାଇଓ୍ଵା ଦ୍ରତୁ ଗତିରେ ଆସି ତାଙ୍କୁ ପଛପଟୁ ଧକ୍କା ଦେଇ ତା’ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଛାତ୍ରଟିର ମୃତ୍ୟୁ ହୋଇଛି। ସେହି ସମୟରେ ଉକ୍ତ ହାଇୱାଟି ଅନ୍ୟ ୨ ସାଇକେଲ ଚାଳକଙ୍କୁ ଧକ୍କା ଦେଇଥିଲା। ସେମାନେ ସେଠାରେ ଗୁରୁତର ହୋଇଥିଲେ। ସେଠାରୁ ତାଙ୍କୁ ଚିକିତ୍ସା ନିମନ୍ତେ ବଡ଼ ଡାକ୍ତରଖାନାକୁ ପଠାଇଯାଇଥିବା ଜଣାଯାଇଛି।

ଏ ନେଇ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି। ଫଳରେ କଟକ ଓ ପାରଦୀପ ମଧ୍ୟରେ ଯାନବାହନ ଚଳାଚଳ ବାଧା ପ୍ରାପ୍ତ ହୋଇଛି। ଦୁର୍ଘଟଣା ଘଟାଇଥିବା ହାଇଓ୍ଵାଟି ରେଳବାଇ ଓଭର୍‌ବ୍ରିଜ୍‌ କାମରେ ନିୟୋଜିତ ଥିବା ବେଳେ ଡ୍ରାଇଭର ଫେରାର ଅଛି। ଘଟଣାସ୍ଥଳରେ ପାରାଦୀପ ଲକ୍‌ ଥାନା ପୁଲିସ ପହଞ୍ଚି ଉତ୍ତେଜିତ ଲୋକମାନଙ୍କୁ ବୁଝାଶୁଝା କରାଉଛି।