ଗୌହାଟୀ ଓ ବିକାନେର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି, ୩୬ ଆହତ

କୋଲକାତା,ଏଜେନ୍ସି: ଦକ୍ଷିଣ ପଶ୍ଚିମବଙ୍ଗରେ ମଙ୍ଗଳବାର ସନ୍ଧ୍ୟା ସମୟରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଗୌହାଟୀ ଓ ବିକାନେର ଏକ୍ସପ୍ରେସ ଜଲପାଇଗୁଡ଼ି ନିକଟସ୍ଥ ମୋୟନଗୁରି ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରାୟ ୬ଟି କୋଚ ଲାଇନଚ୍ୟୁତ ହୋଇଛି। ଏହାସହିତ ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଓ ୩୬ ଜଣ ଯାତ୍ରୀ ଆହତ ହୋଇଥିବା ରେଳବାଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଟ୍ରେନରେ ୧୨୦୦ ଯାତ୍ରୀ ଯାତ୍ରା କରୁଥିଲେ ଏବଂ ଦୁର୍ଘଟଣା ପରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ହୋଇଛି।

ଆଗକୁ ଅଧିକ ମୃତଦେହ ଉଦ୍ଧାର ହୋଇପାରେ ବୋଲି ରେଲୱେ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଦୁର୍ଘଟଣାରେ ପ୍ରାୟ ୧୨ଟି ବଗି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୬ଟି ହୋଇଛି ଲାଇନଚ୍ୟୁତ। ଘଟଣା ସମ୍ପର୍କରେ ଖବର ପାଇବା ପରେ ଏକ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଛି। ଦୁର୍ଘଟଣା ସ୍ଥଳରେ ପ୍ରାୟ ୩୦ଟି ଆମ୍ବୁଲାନ୍ସ ରହି ଆହତ ଓ ମୃତଦେହର ଉଦ୍ଧାର କାର୍ଯ୍ୟରେ ଲାଗିଛି।

ଦୁର୍ଘଟଣା ଦୁର୍ଗମ ଅଞ୍ଚଳରେ ହୋଇଥିବାରୁ ଉଦ୍ଧାର କାର୍ଯ୍ୟକୁ ବ୍ୟାପକ କରିବାରେ ସମସ୍ୟା ଉପୁଜିଛି। ତଥାପି ଉଦ୍ଧାରକାରୀ ଟିମ ପ୍ରଚେଷ୍ଟା ଜାରି ରଖିଛନ୍ତି। ଘଟଣାସ୍ଥଳରେ ରେଲୱେ କର୍ତ୍ତୃପକ୍ଷ ଲାଇଟ୍‌ର ବ୍ୟବସ୍ଥା କରିଛନ୍ତି। ଘଟଣାସ୍ଥଳରେ ଅଲିପୁର୍‌ଦୁଆରର ଡ଼ିଆରଏମ୍ ପହଞ୍ଚିଛନ୍ତି। ରେଳ ବିଭାଗର ସୂଚନା ମୁତାବକ ଦୁର୍ଘଟଣା ଘଟିବା ସମୟରେ ଟ୍ରେନର ଘଣ୍ଟା ପ୍ରତି ବେଗ ୫୦ କିଲୋମିଟର ରହିଥିଲା। ସେପଟେ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି। ଲାଇନଚ୍ୟୁତ ହୋଇଥିବା ବଗି ଗୁଡ଼ିକ ଭୀଷଣ କ୍ଷତିଗ୍ରସ୍ତ ହୋଇଛି। ଏଥିଲାଗି ଆହତ ଯାତ୍ରୀଙ୍କୁ ଉଦ୍ଧାର କରିବା କଷ୍ଟକର ହେଉଥିବା ଜଣାପଡ଼ିଛି।