ଲକ୍ଷାଧିକ ଟଙ୍କାର ଗୁଟଖା ଜବତ, ୨ ଗିରଫ

ରାୟଗଡା : ଏନ୍ଏନ୍ଏସ୍ : ଲକ ଡାଉନ ସମୟରେ ରାୟଗଡା ଜିଲ୍ଲାରେ ବ୍ୟାପକ ପରିମାଣରେ ଗୁଟଖା କାରବାର ଚାଲିଥିବା। ରାୟଗଡା ପୋଲିସ ସମୟେ ସମୟେ ଗୁଟଖା କାରବାରୀଙ୍କ ଗୋଦାମରେ ଚଢଉ କରି ବେଆଇନ ଭାବେ ରଖିଥିବା ଗୁଟଖାକୁ ଜବତ କରୁଥିଲା। ତେବେ ଗତକାଲି ଚାନ୍ଦିଲି ଥାନା ପୋଲିସକୁ ଏକ ବଡ ସଫଳତା ମିଳିଛି। ଦିଲ୍ଲୀରୁ ରାୟଗଡା ବେଆଇନ ଭାବେ ଚାଲାଣ ହେଉଥିବା ଏକ ଗୁଟଖା କଂଟେନରକୁ ଜବତ କରିବା ସହ ବିପୁଳ ପରିମାଣରେ ଗୁଟଖା ଜବତ କରିଛି। ଯାହାର ବଜାର ମୂଲ୍ୟ ଆନୁମାନିକ ୪୫ ଲକ୍ଷ ଟଙ୍କା ହେବା ବୋଲି ଜଣାପଡିଛି।

କଂଟେନରରୁ ୯ ଲକ୍ଷ ବିମଳ ପାନ ମସଲା ଏବଂ ୯ ଲକ୍ଷ ଭି ୱନ୍ ଗୁଟଖା ପ୍ୟାକେଟ ଜବତ କରିଛି। କଂଟେନର ଡ୍ରାଇଭର କମଲ ଖାନ ଏବଂ ହେଲପର ବାବୁ ଖାନକୁ ଚାନ୍ଦିଲି ଥାନାରେ ଅଟ ରଖି ଅଧିକ ପଚରା ଉଚ୍ଚରା କରୁଛି। ଚାନ୍ଦିଲି ପୋଲିସ ପଚରା ଉଚ୍ଚରା ସମୟରେ ଜବତ ହୋଇଥିବା ଗୁଟଖା ରାୟଗଡାର ଗୁଟଖା ବେପାରୀ ପ୍ରମୋଦ ସାହୁ ଓରଫ ପିଂଟୁ ସାହୁର ବୋଲି ଜଣାପଡିଛି। ଘଟଣା ସଂପର୍କରେ ରାୟଗଡା ଏସପି ଡ.ଶ୍ରବଣ ବିବକେ ଏମ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଚାନ୍ଦିଲି ଥାନା ଏସଆଇ ଗିରିଶ ଚନ୍ଦ୍ର ମହାରଣା ଓ ଟିମ ଅମଲାଭଟା ଅଂଚଳରେ ପେଟ୍ରୋଲିଂ କରୁଥିବା ସମୟରେ ଦିଲ୍ଲୀରୁ ରାୟଗଡା ଅଭିମୁଖେ ଆସୁଥିବା କଂଟେନରକୁ ଯାଂଚ କରି ଗୁଟଖା ଜବତ କରିଥିଲେ। ଏ ନେଇ ଚାନ୍ଦିଲି ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।