ୱାର୍ଲ୍ଡକପ ପରାଜୟ ପରେ କର୍ମଚାରୀଙ୍କୁ ଛୁଟି ଦେଲା ଗୁରୁଗ୍ରାମର ମାର୍କେଟିଂ କମ୍ପାନୀ

ନୂଆଦିଲ୍ଲୀ: ୱାର୍ଲ୍ଡକପ ୨୦୨୩ର ଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆ ହାତରୁ ଭାରତ ପରାଜୟର ସାମ୍ନା କରିବା ପରେ ୧୩୦ କୋଟି ଭାରତୀୟଙ୍କ ସ୍ୱପ୍ନ ଧୂଳିସାତ ହୋଇଥିଲା । ଅଧିନାୟକ ରୋହିତ ଶର୍ମା ଓ ବ୍ୟାଟ୍ସମ୍ୟାନ ବିରାଟ କୋହଲୀଙ୍କ ଆଖିରୁ ଲୁହ ଝରିବା ପରେ ଫ୍ୟାନ୍ସ ମଧ୍ୟ ନିଜକୁ ରୋକି ପାରିନଥିଲେ । ଏହି ଦୁଃଖକୁ ଭୁଲିବା ପାଇଁ ଗୁରୁଗ୍ରାମର ଏକ ମାର୍କେଟିଂ ମୁଭସ ଏଜେନ୍ସି ନିଜ କର୍ମଚାରୀଙ୍କ ପାଇଁ ଯାହା କରିଛି ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ଉକ୍ତ କମ୍ପାନୀଟି ତା’ କର୍ମଚାରୀଙ୍କୁ ଦିନକ ପାଇଁ ଛୁଟି ଦେଇଛି । କର୍ମଚାରୀ ନିଜକୁ ମଜଭୁତ କରି କମ୍ପାନୀକୁ ଫେରିବେ ବୋଲି ତାଙ୍କୁ ଏହି ଛୁଟି ଦିଆଯାଇଛି । ଏନେଇ କମ୍ପାନୀର ଜଣେ କର୍ମଚାରୀ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେ ତାଙ୍କ ବସଙ୍କ ଏକ ମେସେଜ ମଧ୍ୟ ପୋଷ୍ଟ କରିଛନ୍ତି ।

ଉକ୍ତ ମେସେଜରେ ଲେଖାଯାଇଛି ଯେ, ହାୟ ଟିମ୍‌! ଚଳିତ ବିଶ୍ୱକପରେ ଭାରତର ପରାଜୟକୁ ଦୃଷ୍ଟିରେ ରଖି ଏହାର ପ୍ରଭାବ ଆମେ ଆମ ଟିମର ସଦସ୍ୟଙ୍କ ଉପରେ ପଡ଼ିବାକୁ ବୁଝୁଛୁ । ସେଥିପାଇଁ କମ୍ପାନୀ ଦିନକ ପାଇଁ ଛୁଟି ଦେବାକୁ ନିଷ୍ପତ୍ତି ନେଇଛି । ଏହାଦ୍ୱାରା ସମସ୍ତଙ୍କୁ ସଂଗଠିତ ଓ ଏଥିରୁ ବାହାରିବାର ସୁଯୋଗ ମିଳିବ ବୋଲି ଆମେ ବିଶ୍ୱାସ କରୁଛୁ । ଆମେ ଆହୁରି ଦୃଢ଼ ହୋଇ ଫେରିବୁ ।