ଦୀପାବଳିରେ ହୃଦୟ ଜିଣିଲେ ଆଫଗାନୀ ଖେଳାଳୀ ଗୁରବାଜ

ନୂଆଦିଲ୍ଲୀ: ଆଫଗାନିସ୍ତାନ ଖେଳାଳୀ ଲୋକଙ୍କ ହୃଦୟରେ ଜାଗା ବନାଇବାରେ କେବେ ବି ପଛଘୁଞ୍ଚା ଦେଇନାହାନ୍ତି । ଏହିକ୍ରମେ ଜଣେ ଆଫଗାନୀ ଖେଳାଳୀ ସଡ଼କ କଡ଼ରେ ଶୋଇଥିବା ଗରିବ ଲୋକଙ୍କୁ ଟଙ୍କା ବାଣ୍ଟିବାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଆଫଗାନିସ୍ତାନର ୱିକେଟକିପର ବ୍ୟାଟ୍ସମେନ ରାହମନଉହ୍ଲା ଗୁରବାଜ ଦୀପାବଳି ଅବସରରେ ରାତି ପ୍ରାୟ ୩ଟାରେ ଲୋକଙ୍କ ପାଖକୁ ଯାଇ ୫୦୦ ଟଙ୍କିଆ ନୋଟ୍ ବାଣ୍ଟିଛନ୍ତି । ଗୁରବାଜ ଗୁଜରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଶେଷ ମ୍ୟାଚ ଖେଳିବା ପରେ ଲୋକଙ୍କ ପାଖକୁ ଯାଇ ଏପରି ସମୟ ଅତିବାହିତ କରିଥିଲେ ।

ସୂଚନାଯୋଗ୍ୟ, ଆଫଗାନିସ୍ତାନ କ୍ରିକେଟ ଟିମ୍ ଶେଷ ମୁକାବିଲା ଦକ୍ଷିଣ ଆଫ୍ରିକା ସହ ଖେଳିଥିଲା । ଏହି ମ୍ୟାଚ ଆଫଗାନିସ୍ତାନ ଟିମ୍ ହାରିବା ସତ୍ତେ ୱାର୍ଲ୍ଡକପରେ ଲୋକଙ୍କ ହୃଦୟ ଜିଣିବାରେ ସଫଳ ହୋଇଥିଲା । ବ୍ୟାଟିଂଠୁ ଆରମ୍ଭ କରି ଫିଲ୍ଡିଂ ଓ ବୋଲିଂ ସବୁ ବିଭାଗରେ ନିଜ ଦମଦାର ପ୍ରଦର୍ଶନ ବଳରେ ଆଫଗାନିସ୍ତାନ ଟିମ୍ ପାକିସ୍ତାନ, ଇଂଲଣ୍ଡ, ଶ୍ରୀଲଙ୍କା ଓ ନେଦରଲାଣ୍ଡ ଭଳି ଟିମକୁ ହରାଇବାରେ ସଫଳ ହୋଇଛି ।