ଇସଲାମାବାଦ,ଏଜେନ୍ସି: ପାକିସ୍ତାନ କରାଚୀ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଉପରେ ଆତଙ୍କବାଦୀ ଗୋଷ୍ଠୀଙ୍କ ଆକ୍ରମଣ । ଅଚାନକ ଗୁଳିମାଡ଼ ହୋଇଥିବା ବେଳେ ୩ଜଣ ପୋଲିସ କର୍ମୀ ଆହତ ହୋଇଥିବା ପ୍ରାରମ୍ଭିକ ସୂଚନା ମିଳିଛି । ଏହାପରେ ସୁରକ୍ଷାକର୍ମୀ ଓ ଆକ୍ରମଣକାରୀଙ୍କ ବିରୋଧରେ ଗୁଳିମାଡ଼ ଜାରି ରହିଛି । କ୍ୟାପିଟାଲ ସିଟି ପୋଲିସ ଅଫିସ (ସିସିପିଓ)ରେ ଗୁଳିମାଡ଼ ଓ ବୋମା ବିସ୍ଫୋରଣ ହେଉଥିବା ନେଇ ମଧ୍ୟ ସୂଚନା ମିଳିଛି । ଏହି ଗୁଳିମାଡ଼ ସମୟରେ କରାଚୀ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ପୋଲିସ-ଚିଫ୍ ଉପସ୍ଥିତ ଥିବା ଜଣାପଡ଼ିଛି ।
ପୋଲିସର ସୂଚନା ଅନୁସାରେ ପ୍ରାୟ ୧୨ଜଣ ଆକ୍ରମଣକାରୀ ପୋଲିସ ୟୁନିଫର୍ମରେ ହଠାତ ପ୍ରବେଶ କରି ଗୁଳିମାଡ଼ କରିଥିଲେ । ଅନ୍ୟପଟେ ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁସାରେ ଏକ ଆତଙ୍କବାଦୀ ଗୋଷ୍ଠୀ ବନ୍ଧୁକ ସହିତ ଗ୍ରିନେଡ ଧରି ପ୍ରଥମେ କରାଚୀ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ କରିଥିଲେ । ଏହାପରେ ଅଚାନକ ଗୁଳିମାଡ଼ ସହି ଗ୍ରିନେଡ ମାଡ଼ ମଧ୍ୟ କରୁଛନ୍ତି । ପ୍ରାୟ ୮ଜଣ ଆକ୍ରମଣକାରୀ ଅଟୋମେଟିକ ବନ୍ଧୁକ ସହି ହାତରେ ଗ୍ରିନେଡ ଧରିଥିବା ଜଣାପଡ଼ିଛି । ଏହାପରେ ଏହି ସ୍ଥାନକୁ କୌଣସି ଯାନବାହାନର ଚଳାଚଳ ନ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।