ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟରେ ୧୯ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୭ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବାବେଳେ ୨ଟି ପ୍ରକଳ୍ପର ଉଦଘାଟନ ହୋଇଛି । ଏଥିପାଇଁ ପ୍ରାୟ ୧୬୫୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଥିବାବେଳେ ୪୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଉଦଘାଟିତ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ଶିଳ୍ପ ମଧ୍ୟରେ ପ୍ଲାଷ୍ଟିକ, ସମୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ, ଖାଦ୍ୟ ଉତ୍ପାଦନ, ଆଇଟି ଶିଳ୍ପ ରହିଛି । ଶିଳ୍ପଗୁଡିକ ପ୍ରତିଷ୍ଠା ହେଲେ ରାଜ୍ୟରେ ବ୍ୟାପକ ନିଯୁକ୍ତି ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି ।
ମେକ୍ ଇନ୍ ଓଡ଼ିଶା ୨୦୨୨ରେ ରାଜ୍ୟରେ ନିବେଶ ପାଇଁ ପ୍ରସ୍ତାବ ଆସିଥିଲା । ଏହାକୁ ରାଜ୍ୟ ସରକାର ଅନୁମୋଦନ କରିଥିଲେ । ଓଡ଼ିଶାରେ ନିବେଶ ପାଇଁ ବ୍ୟାପକ ସୁବିଧା ସୁଯୋଗ ବିଷୟରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିବେଶ କ୍ଷେତ୍ରରେ ଆଉ ଏକ ମାଇଲଷ୍ଟୋନ । ଓଡ଼ିଶା ଏବେ ବିଭିନ୍ନ କ୍ଷେତ୍ରରେ ଆତ୍ମନିର୍ଭର ହୋଇଛି । ରାଜ୍ୟରେ ନିବେଶ ପାଇଁ ସରକାରଙ୍କ ପକ୍ଷରୁ ଅନୁକୂଳ ବାତାବରଣ ସୃଷ୍ଟି କରାଯାଉଛି । ଧାତୁ ଏବଂ ମିନେରାଲ୍ସ ଠାରୁ ଆରମ୍ଭ କରି ରାସାୟନିକ ଏବଂ ପେଟ୍ରୋକେମିକାଲ୍ସ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ପର୍ଯ୍ୟନ୍ତ କ୍ଷେତ୍ରଗୁଡିକ ପାଇଁ ଓଡିଶା ଦେଶର ଏକ ପ୍ରମୁଖ ଉତ୍ପାଦନ ହବ୍ ଭାବରେ ଉଭା ହୋଇଛି ।
ଏକ ଉତ୍ସ-ନିର୍ଭରଶୀଳ, ଖଣିଜ ଭିତ୍ତିକ ଶିଳ୍ପ ବିକାଶରୁ ବିଭିନ୍ନ କ୍ଷେତ୍ର ମଧ୍ୟରେ ଅଧିକ ଦ୍ରୁତ, ବ୍ୟାପକ-ଆଧାରିତ ଏବଂ ଅନ୍ତର୍ଭୁକ୍ତ ଅର୍ଥନୈତିକ ଅଭିବୃଦ୍ଧିକୁ ସ୍ଥାନାନ୍ତରିତ ହେଉଛି ରାଜ୍ୟ । ଏକ ସମ୍ଭାବ୍ୟ ପୁଞ୍ଜି ବିନିଯୋଗ ଲକ୍ଷ୍ୟ ସ୍ଥଳ ଭାବରେ ଓଡି଼ଶାକୁ ପ୍ରତିଷ୍ଠିତ କରିବାକୁ ଚାହୁଁଥିବା ନିବେଶକଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ଏବଂ ଏହାର ଲୋକଙ୍କ ଅଭିବୃଦ୍ଧି ପାଇଁ ସର୍ବୋତ୍ତମ ସୁଯୋଗ ପ୍ରଦାନ କରିବାକୁ ସେ ନିଶ୍ଚିତ କରିଛନ୍ତି । ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ଓଡି଼ଶା ଉତ୍ପାଦନ ହବ୍ ହେବ । ଶିଳ୍ପର ଅଭିବୃଦ୍ଧି ସହିତ ସ୍ଥାନୀୟ ଯୁବକ ଓ ଯୁବତୀଙ୍କୁ କର୍ମ ନିଯୁକ୍ତି ମିଳିପାରିବ ।