ଆଇପିଏଲ୍‌: ହାର୍ଦ୍ଦିକଙ୍କ କମାଲ; ରାଜସ୍ଥାନକୁ ୩୭ ରନ୍‌ରେ ହରାଇ ଶୀର୍ଷରେ ପହଞ୍ଚିଲା ଗୁଜରାଟ

ମୁମ୍ବାଇ,ଏଜେନ୍ସି: ଇଣ୍ଡିଅନ୍ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ନୂଆ ଟିମ୍ ହୋଇଥିଲେ ବି ଗୁଜରାଟ୍ ଟାଇଟନ୍ସ ଭଲ ପ୍ରଦର୍ଶନ କରୁଛି। ଚଳିତ ସଂସ୍କରଣର ୨୪ତମ ମ୍ୟାଚରେ ରାଜସ୍ଥାନକୁ ୩୭ ରନ୍‌ରେ ପରାସ୍ତ କରି ଗୁଜରାଟ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି। ମୁମ୍ବାଇର ଡା ଡିୱାଇ ପାଟିଲ ସ୍ପୋର୍ଟସ ଏକାଡେମୀରେ ଗୁରୁବାର ଟସ୍ ଜିଣି ରାଜସ୍ଥାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ରାଜସ୍ଥାନ ରୟାଲ୍ସ ତରଫରୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ମିଳିବା ପରେ ଗୁଜରାଟ ବ୍ୟାଟିଂ କରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍ ୨୦ ଓଭରରେ ୧୯୨ ରନ୍ କରିଥିଲା। ଫଳରେ ରାଜସ୍ଥାନକୁ ୧୯୩ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା।

ରାଜସ୍ଥାନ ୨୦ ଓଭରରେ ୯ଟି ୱିକେଟ୍ ହରାଇ ୧୫୫ ରନ୍ ସଂଗ୍ରହ କରିଥିଲା। ଜୋସ୍ ବଟଲର ସର୍ବାଧିକ ୫୪ ରନ୍ କରିଥିଲେ। ସେ ୨୪ଟି ବଲ ଖେଳି ୮ଟି ଚୌକା ଓ ୩ଟି ଛକା ମାରିଥିଲେ। ସିମରନ୍ ହେଟମେୟର ୧୭ଟି ବଲ ସାମ୍ନା କରି ୨ଟି ଚୌକା ଓ ଗୋଟିଏ ଛକା ବଳରେ ୨୯ ରନ୍ କରିଥିଲେ। ରିୟାନ ପରାଗ ୧୮ ରନ୍‌, ଜିମି ନୀଶମ ୧୭ ରନ୍ ଓ ଅଧିନାୟକ ସଂଜୁ ସାମନନଙ୍କ ବ୍ୟାଟରୁ ୧୧ ରନ୍ କରିଥିଲେ। ଅନ୍ୟ ଖେଳାଳିମାନେ ନିରାଶ କରିଥିଲେ।

ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ରାଜସ୍ଥାନ ବିପକ୍ଷରେ ଭଲ ବ୍ୟାଟିଂ କରିଥିଲେ। ଆରମ୍ଭରୁ ଦଳ ଖରାପ ପ୍ରଦର୍ଶନ କରିଥିଲେ ବି ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ରହି ଅଭିନବ ମନୋହର(୪୩ ରନ୍‌)ଙ୍କ ସହିତ ସେ ଭଲ ଭାଗିଦାରୀ ହୋଇପାରିଥିଲେ। ପାଣ୍ଡ୍ୟା ବ୍ୟକ୍ତିଗତ ଭାବେ ୮୭ ରନ୍ ସଂଗ୍ରହ କରିଥିଲେ। ପାଣ୍ଡ୍ୟା ୨.୩ ଓଭର ବୋଲିଂ କରି ୧୮ ରନ୍ ଖର୍ଚ୍ଚ କରିଥିଲେ ଓ ଜିମି ନୀଶମ ଭଳି ବିସ୍ଫୋରକ ବ୍ୟାଟରଙ୍କୁ ଆଉଟ କରିଥିଲେ।

ତେବେ ଗୁଜରାଟ ଆଇପିଏଲ୍‌ରେ ନୂଆ ଟିମ୍ ହୋଇଥିଲେ ବି ଭଲ ପ୍ରଦର୍ଶନ କରିଛି। ଏପର୍ଯ୍ୟନ୍ତ ୫ଟି ମ୍ୟାଚ ଖେଳି ୪ଟିରେ ବିଜୟ ହାସଲ କରିବା ସହିତ ଆଇପିଏଲ-୨୦୨୨ର ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନରେ ରହିଛି। କୋଲକାତା, ରାଜସ୍ଥାନ, ପଂଜାବ, ଲଖନଉ ଓ ବାଙ୍ଗାଲୋର ୩ଟି ଲେଖାଏଁ ମ୍ୟାଚ ଜିତିଛନ୍ତି। ଦିଲ୍ଲୀ ଓ ହାଇଦ୍ରାବାଦ୍ ୨-୨ଟି ମ୍ୟାଚ ଜିତିଥିଲା ବେଳେ ଶକ୍ତିଶାଳୀ ଚେନ୍ନାଇ ଗୋଟିଏ ମ୍ୟାଚ ଜିତିଛି। କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ଗୋଟିଏ ବି ମ୍ୟାଚ ଜିତିପାରି ନାହିଁ।