କୃଷକ ଆନ୍ଦୋଳନ ଛାଡ଼ି ଆଲୋଚନାର ପନ୍ଥା ଆପଣାନ୍ତୁ: କୃଷିମନ୍ତ୍ରୀ

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି କୃଷକଙ୍କ ଆନ୍ଦୋଳନ ୧୬ ଦିନ ହେବ ଜାରି ରହିଛି। ଏଭଳି ସ୍ଥିତିରେ ଆନ୍ଦୋଳନ ଛାଡ଼ି ଆଲୋଚନା କରିବାକୁ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କୃଷକଙ୍କୁ କହିଛନ୍ତି। କୃଷିମନ୍ତ୍ରୀ କହିଛନ୍ତି ଯେ, କୌଣସି ଆଇନକୁ ନେଇ ଆପତ୍ତି ହୋଇଥାଏ ଆଉ ତାକୁ ନେଇ ଚର୍ଚ୍ଚା ହେବା ଦରକାର। ଆମେ କୃଷକଙ୍କ ଆପତ୍ତିକୁ ନିରାକରଣ କରିବାକୁ ଚେଷ୍ଟା କରିଛୁ। ତେଣୁ ସେମାନେ ଆନ୍ଦୋଳନକୁ ଛାଡ଼ି ଆଲୋଚନାର ପନ୍ଥା ଆପଣାଇବା ଉଚିତ।

କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, ‘କୃଷକ ୟୁନିୟନର ଲୋକମାନେ ଗତିରୋଧ ଭାଙ୍ଗିବା ଦରକାର। ସରକାର ଆଗକୁ ବଢ଼ି ସେମାନଙ୍କ ସମସ୍ୟା ସମାଧାନ କରିବାକୁ ଚାହୁଁଛି। କରୋନା ସଙ୍କଟ ସହ ଶୀତର ପ୍ରକୋପ ଯୋଗୁ କୃଷକଙ୍କୁ ସମସ୍ୟା ହେଉଥିବ। ଆନ୍ଦୋଳନ ଯୋଗୁ ସାଧାରଣ ଜନତା ମଧ୍ୟ ହଇରାଣ ହେଉଛନ୍ତି। ସେଥିପାଇଁ କୃଷକମାନେ ଆନ୍ଦୋଳନ ଛାଡ଼ି ଆଲୋଚନା କରି ସମସ୍ୟାକୁ ସମାଧାନ କରିବା ପାଇଁ ପ୍ରୟାସ କରିବା ଉଚିତ।’