କୋଭିଡ ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ପ୍ରଦାନ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲାରେ କରୋନାରେ ମୃତ୍ୟୁବରଣ କରିଥିବା ୪ଜଣ ବ୍ୟକ୍ତିଙ୍କୁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରିଥିବା ଜଣାପଡ଼ିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ପୀତବାସ ଧାରୁଆଙ୍କ ପତ୍ନୀ କେତକୀ ଧାରୁଆଙ୍କୁ ୫୦ ଲକ୍ଷ ଟଙ୍କା ଦେବା ନିମନ୍ତେ ବ୍ୟାଙ୍କକୁ ଦିଆଯାଇଥିବା ଚିଠିକୁ ପ୍ରଦାନ କରିଥିଲେ। ସେହିପରି ମହିଳା ସ୍ୱାସ୍ଥ୍ୟକର୍ମୀ ସାବିତ୍ରୀ ଜାନିଙ୍କ ସ୍ୱାମୀ ଶଙ୍କର୍ଷଣ ନାୟକ ଓ ସର୍ବେଶ୍ୱର ପ୍ରଧାନଙ୍କ ସ୍ତ୍ରୀ ନଳିନୀ ପ୍ରଭା ନାୟକଙ୍କୁ ଜିଲ୍ଲାପାଳ ଶ୍ରୀ ମିଶ୍ର ପ୍ରଦାନ କରିଥିଲେ। କୋରାପୁଟ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ଓ ବିଭାଗୀୟ ଅଧିକାରୀ ପି କେ ସାମଲ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ରର ହିକିମ ଉପକେନ୍ଦ୍ରରେ କାର୍ଯ୍ୟରତ ସାବିତ୍ରୀ ଜାନି କରୋନାରେ ଆକ୍ରାନ୍ତ ହୋଇ ୨୧-୦୮-୨୦ରେ ମୃତ୍ୟୁବରଣ କରିଥିଲେ। କୋରାପୁଟ ଜିଲ୍ଲା ପୁଲିସରେ କାର୍ଯ୍ୟରତ ଡିଏସଆଇ ସର୍ବେଶ୍ୱର ପ୍ରଧାନ କରୋନାରେ ଆକ୍ରାନ୍ତ ହୋଇ ୮-୦୯-୨୦ରେ ମୃତ୍ୟୁବରଣ କରିଥିଲେ। କୋରାପୁଟ ଟାଉନଥାନାରେ କାର୍ଯ୍ୟରତ ଆଇଆଇସି ପୀତବାସ ଧାରୁଆ କରୋନାରେ ଆକ୍ରାନ୍ତ ହୋଇ ୧-୧୦-୨୦ରେ ମୃତ୍ୟୁବରଣ କରିଥିଲେ। ବନମାଳିପୁଟ ନୂତନ ପିଏଚସିରେ କାର୍ଯ୍ୟରତ ଆୟୁଷ ଡାକ୍ତର ପ୍ରସନ୍ନ କୁମାର ଜାଲି ୨୩-୦୯-୨୦ରେ ମୃତ୍ୟୁବରଣ କରିଥିବାବେଳେ ତାଙ୍କ ପରିବାର ଭୁବନେଶ୍ୱରରେ ଥିବାରୁ ଆଜି ପ୍ରଦାନ କରାଯାଇ ନଥିବା ଜଣାପଡ଼ିଛି।