ନୂଆଦିଲ୍ଲୀ ସ୍ଥିତି ପାକିସ୍ତାନ ହାଇ କମିଶନ କାର୍ଯ୍ୟାଳୟର କର୍ମଚାରୀ ହ୍ରାସ ପାଇଁ ଭାରତ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,ଏଜେନ୍ସି: ନୂଆଦିଲ୍ଲୀ ସ୍ଥିତି ପାକିସ୍ତାନ ହାଇ କମିଶନ କାର୍ଯ୍ୟାଳୟର ୨ କର୍ମଚାରୀଙ୍କ ଗୁପ୍ତଚର କାର୍ଯ୍ୟକୁ ନେଇ ଭାରତ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ପାକିସ୍ତାନ ହାଇ କମିଶନ କାର୍ଯ୍ୟାଳୟର କର୍ମଚାରୀଙ୍କ ସଂଖ୍ୟା ୭ ଦିନ ମଧ୍ୟରେ ୫୦ ପ୍ରତିଶତ କମ୍ କରିବାକୁ ପାକିସ୍ତାନକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁସାରେ ଗୁପ୍ତଚର କାର୍ଯ୍ୟରେ ଲିପ୍ତ ପାକିସ୍ତାନ ହଇ କମିଶନ କାର୍ଯ୍ୟାଳୟର ୨ କର୍ମଚାରୀଙ୍କୁ କିଛିଦିନ ତଳେ ଭାରତ ଅବାଞ୍ଚିତ ଘୋଷଣା କରିବା ପରେ ତୁରନ୍ତ ଦେଶ ଛାଡ଼ିଯିବାକୁ ନିର୍ଦ୍ଦେଶ ଦେଇଥିଲା। ପ୍ରତିବାଦରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଇସଲାମାବାଦ ସ୍ଥିତି ଭାରତୀୟ ହାଇ କମିଶନ କାର୍ଯ୍ୟାଳୟର ୨ କାର୍ଯ୍ୟରତ ଭାରତୀୟ କର୍ମଚାରୀଙ୍କୁ ଅନେକ ସମୟ ଧରି ଅଟକ ରଖିଥିଲା। ପରେ ଭାରତର କଡ଼ା ପ୍ରତିବାଦ ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା। ଏଥିସହିତ ଇସଲାମାବାଦସ୍ଥିତ ହାଇ କମିଶନର କାର୍ଯ୍ୟାଳୟ ପକ୍ଷରୁ କର୍ମଚାରୀଙ୍କୁ ଫେରାଇ ନେବା ପାଇଁ ନିଷ୍ପତ୍ତି ହୋଇଛି।