ସୀମା ସୁରକ୍ଷା ପାଇଁ ‘ବିଏସଏଫ’କୁ ବିଶ୍ୱ ସ୍ତରୀୟ ଟେକ୍ନୋଲୋଜି ଯୋଗାଇବାକୁ ସରକାର ପ୍ରତିବଦ୍ଧ: ଅମିତ ଶାହା

ରାଜସ୍ଥାନ,ଏଜେନ୍ସି: ସୀମା ସୁରକ୍ଷା ବଳ(ବିଏସଏଫ)କୁ ମିଳିବ ବିଶ୍ୱ ସ୍ତରୀୟ ପ୍ରଯୁକ୍ତି ବିଦ୍ୟାର ଯୁଦ୍ଧାସ୍ତ୍ର। ଏଥିପ୍ରତି ପ୍ରତିବଦ୍ଧ କେନ୍ଦ୍ର ସରକାର। ରବିବାର ରାଜସ୍ଥାନର ଜୈସଲମାରରେ ‘ବିଏସଏଫ’ର ୫୭ ତମ ରାଇଜିଂ ଦିବସ ଉପଲକ୍ଷେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ମନ୍ତବ୍ୟ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ସେ କହିଛନ୍ତି ଯେ ଆମ ସରକାର ପାଇଁ ସୀମା ସୁରକ୍ଷାର ଅର୍ଥ ହେଉଛି ଜାତୀୟ ସୁରକ୍ଷା, ଏବଂ ବିଏସଏଫ ଦେଶର ସୀମାରେ ରହି ସୁରକ୍ଷା ପ୍ରଦାନ କରୁଥିବାବେଳେ ଏହାକୁ ବିଶ୍ୱ ସ୍ତରୀୟ ପ୍ରଯୁକ୍ତି ବିଦ୍ୟାର ଯୁଦ୍ଧାସ୍ତ୍ର ପ୍ରଦାନ କରିବାକୁ ସରକାର ପ୍ରତିବଦ୍ଧ।

୨୦୧୪ ପରଠାରୁ ସରକାର ଦେଶର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଆସୁଛନ୍ତି। ଯେତେବେଳେ ବି କୌଣସି ଶତୃ ସୀମାରେ ଦୃଷ୍ଠତା କରିଛନ୍ତି ତୁରନ୍ତ ତାହାର ପ୍ରତି ଜବାବ ଦିଆଯାଇଥିବା ଗୃହମନ୍ତ୍ରୀ କହିଥିଲେ। ଏହି ଅବସରରେ ସେ ଦେଶ ପାଇଁ ୩୫ ହଜାରରୁ ଊର୍ଦ୍ଧ୍ୱ ବିଏସଏଫ ଏବଂ ସିଆରପିଏଫର ସହିଦ ଯବାନ ମାନଙ୍କୁ ସମଗ୍ର ଦେଶବାସୀଙ୍କ ତରଫରୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ବୋଲି କହିଥିଲେ।

ରାଜସ୍ଥାନର ଜେସଲମାରରେ ପ୍ରଥମ ଥର ପାଇଁ ବିଏସଏଫ ରାଇଜିଂ ଦିବସ ପାଳନ କରାଯାଉଥିବା ବେଳେ ଏହି ଅବସରରେ ଗୃହମନ୍ତ୍ରୀ ବିଏସଏଫ ଯବାନ ମାନଙ୍କୁ ପୁରସ୍କୃତ ମଧ୍ୟ କରିଥିଲେ। ଅମିତ ଶାହା ଦୁଇ ଦିନିଆ ରାଜସ୍ଥାନ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବେଠକରେ ମଧ୍ୟ ଯୋଗଦେବେ।