ନୂଆଦିଲ୍ଲୀ,ଏଜେନ୍ସି: ପୁଣି ବାର୍ଡ ଫ୍ଲୁ ଆତଙ୍କ ଦେଖିବାକୁ ମିଳିଛି। ମହାରାଷ୍ଟ୍ରର ଥାନେ ଏବଂ ପାଲଘର ଜିଲ୍ଲାର କିଛି ଅଞ୍ଚଳରେ ବାର୍ଡ ଫ୍ଲୁ ମାମଲା ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସରକାର ଉଭୟ ଜିଲ୍ଲାରେ ସଂକ୍ରମଣ ହଟସ୍ପଟ୍ର ଏକ କିଲୋମିଟର ବ୍ୟାସାର୍ଦ୍ଧରେ ୨୫,୦୦୦ରୁ ଅଧିକ କୁକୁଡାଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଛନ୍ତି।
ମହାରାଷ୍ଟ୍ରର ପଶୁପାଳକ ମନ୍ତ୍ରୀ ସୁନୀଲ କେଦାର ମଙ୍ଗଳବାର କହିଛନ୍ତି ଯେ, ସଂକ୍ରମିତ ହୋଇଥିବା କୁକୁଡା ଫାର୍ମରେ କାମ କରୁଥିବା ଶ୍ରମିକମାନଙ୍କୁ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଅଲଗା କରି ରଖାଯାଇଛି। ମହାରାଷ୍ଟ୍ରର ଥାନେ ଏବଂ ପାଲଘର ଜିଲ୍ଲାର କିଛି କୁକୁଡାଙ୍କ ଠାରେ ବାର୍ଡ ଫ୍ଲୁ ମାମଲା ଦେଖିବାକୁ ମିଳିଥିଲା।
ସୂଚନା ଅନୁସାରେ, ଗତ ସପ୍ତାହରେ ଥାନେ ଜିଲ୍ଲାର ଶାହପୁରର ଭେଲୋଲି ଅଞ୍ଚଳରେ ୩୦୦ରୁ ଅଧିକ କୁକୁଡା ମୃତ ଅବସ୍ଥାରେ ମିଳିଥିଲେ। ଏହାପରେ ତୁରନ୍ତ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନମୁନାଗୁଡିକୁ ପୁଣେ ଲ୍ୟାବକୁ ପରୀକ୍ଷା ପାଇଁ ପଠାଇଥିଲେ। ତେବେ ମୃତ କୁକୁଡାଙ୍କ ଶରୀରରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିଲା।