ବ୍ରାହ୍ମଣୀଗାଁରେ “ଗୁଡ଼ ଫ୍ରାଇ ଡେ” ପାଳିତ

ବ୍ରାହ୍ମଣୀଗାଁ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଧର୍ମାଞ୍ଚଳର ଖ୍ରୀଷ୍ଟସମ୍ପ୍ରଦାୟ ପକ୍ଷରୁ “ଗୁଡ଼ ଫ୍ରାଇ ଡେ” ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯାଇଛି। ଦୀର୍ଘ ୪୦ ଦିନର ତପସ୍ୟା, ଉପବାସ ଓ ପ୍ରାର୍ଥନାର ଆଜି ଶେଷ ଦିନ। ଆଜି ପ୍ରଭାତରୁ କାଥଲିକ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀ ମାନେ ସ୍ଥାନୀୟ ଚର୍ଚ୍ଚ ପ୍ରାଙ୍ଗଣରେ ରୁଣ୍ଡ ହୋଇ ପ୍ରଭୁ ଯୀଶୁଙ୍କ କ୍ରୁଶ୍ୟ ଯାତନାକୁ ସ୍ମରଣ କରି ଚର୍ଚ୍ଚ ପ୍ରାଙ୍ଗଣ ଠାରୁ କ୍ରୁଶ୍ୟପଥ ଶୋଭାଯାତ୍ରା ଆରମ୍ଭ କରି ସ୍ଥାନୀୟ ଲୁର୍ଦ୍ଧ ମେରୀ ଗୁମ୍ଫା ପର୍ଯ୍ୟନ୍ତ ଯାଇଥିଲେ।

ସେହିସମୟରେ ସମସ୍ତ ବିଶ୍ଵାସୀ ନିଜକୃତ ସମସ୍ତ ପାପ ଦୋଷକୁ ମନେ ପକାଇ, ଅନୁତପ୍ତ ହୃଦୟରେ ପାପ ପଥରୁ ଯେପରି ନିବୃତ୍ତ ରହିପାରିବେ ସେଥିପାଇଁ ପ୍ରାର୍ଥନା କରିଥିଲେ। ଅପରାହ୍ନ ସମୟରେ ସାମୁହିକ ଦିବ୍ୟଯଜ୍ଞ ଅନୁଷ୍ଠିତ କରାଯାଇଥିଲା। ଏଥିରେ ମୂଖ୍ୟ ଯାଜକ ରବି ସଭାସୁନ୍ଦର ଓ ଯାଜକ କପିଳାସ ନାୟକ ପୌରହିତ୍ୟି କରିଥିବା ବେଳେ ବାଇବେଲରୁ ଯୀଶୁଙ୍କ ଯାତନା ବିବରଣୀ ପଠନ କରିବାରେ ଶିକ୍ଷକ ଜ୍ୟୋତି ପ୍ରକାଶ ସିଂ ଓ ଲାଉରିଆନ ଉଥାନ ସିଂ ସହଯୋଗ କରିଥିଲେ।

“ଗୁଡ଼ ଫ୍ରାଇ ଡେ”ର ମାହାତ୍ମ୍ୟ ବିଷୟରେ ଯାଜକ କପିଳାସ ନାୟକ ବାକ୍ୟ ପରିବେଷଣ କରିଥିଲେ। ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କ ଦ୍ୱାରା କ୍ରୁଶ୍ୟ ଆରାଧନା ଓ ପ୍ରାର୍ଥନା କରାଯାଇଥିଲା। ଗ୍ରାମର ସଭାପତି ମାରିଆନ ଉଥାନ ସିଂ ଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନାରେ କମିଟିର ସମସ୍ତ ସଦସ୍ୟ ଓ ଯୁବସଙ୍ଘ ସହଯୋଗ କରିଥିବା ବେଳେ ସାଜସଜ୍ଜାରେ ହୋଲିକ୍ରସ ସଙ୍ଘର ସେବାଭଗ୍ନୀ ଗଣ ସହଯୋଗ କରିଥିଲେ। ସେହିପରି ଅଞ୍ଚଳର ସିକେରମାହା, ସରାମୁଳୀ, ଗଦାପୁର, କାଟିଙ୍ଗିଆ, ଦାରିଙ୍ଗବାଡି, ସିମନବାଡ଼ି ଆଦି ଚର୍ଚ୍ଚ ମାନଙ୍କରେ ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯାଇଥିବା ଜଣାପଡିଛି।