ସୁନା ବେପାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟି ନେଲେ ପର୍ସ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ସ୍ଥାନୀୟ ପୁଲିସର ଅପାରଗତାର ସୁଯୋଗ ନେଇ ପାଟଣାଗଡ଼ରେ ଲୁଟତରାଜ ବଢ଼ି ଚାଲିଛି । ଯୋଗିମୁଣ୍ଡାର ଜଣେ ପରିବା ବିକାଳୀ ସକାଳେ ମରଣାନ୍ତକ ଆକ୍ରମଣ ସହ ବାଇକ ଓ ୮ ହଜାର ଟଙ୍କା ଲୁଟର ଶିକାର ହୋଇଥିଲେ । ପରେ ସଂଧ୍ୟାରେ ସ୍ଥାନୀୟ ଗଙ୍ଗାନଗରରେ ରହୁଥିବା ଜଣେ ସୁନା ବେପାରୀ ବିନୋଦ ସା(୪୦) ଲୁଟର ଶିକାର ହୋଇଥିବା ସୂଚନା ମିଳିିଛି । ଗୋଟିଏ ଦିନରେ ୨ଟି ଲୁଟ ଘଟଣା ଘଟିଥିଲେ ମଧ୍ୟ ପୁଲିସର ନିଷ୍କ୍ରିୟତା ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଏବଂ ଆତଙ୍କର ବାତାବରଣ ସୃଷ୍ଟି କରିଛି ।

ମିଳିଥିବା ରିପୋର୍ଟ ମୁତାବକ, ଅପୁରସାଗର ଗ୍ରାମର ବିନୋଦ ସା ଚୂଡ଼ାପାଲିରେ ଗାୟତ୍ରୀ ଜୁଏଲର୍ସ ନାମରେ ଏକ ସୁନା ଗହଣା ଦୋକାନ ଖୋଲିଛନ୍ତି । ସବୁଦିନ ଭଳି ଆଜି ମଧ୍ୟ ଦୋକାନ ବନ୍ଦ କରି ବିନୋଦ ଆପାଚି ବାଇକରେ ଘରକୁ ଫେରୁଥିଲେ । ସଂଧ୍ୟା ପ୍ରାୟ ୬ଟା ୨୦ମିନିଟରେ ୨ଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରି ବଲାଙ୍ଗିର ରାସ୍ତାର ଧୁବଳପଡ଼ା-ଭଇଁଷା ମଧ୍ୟରେ ପଛପଟୁ ବିନୋଦଙ୍କୁ ଲାତ ମାରିବା ପରେ ସେ ତଳେ ପଡ଼ି ଯାଇଥିଲେ । ପରେ ଦୁର୍ବୃତ୍ତମାନେ ଏକ ଛୁରୀରେ ବିନୋଦଙ୍କୁ ଆକ୍ରମଣ କରି ପିଠିରେ ଟାଙ୍ଗିଥିବା ବ୍ୟାଗକୁ ଛଡ଼ାଇବାକୁ ଉଦ୍ୟମ କରିଥିଲେ ହେଁ ବିଫଳ ହୋଇଥିଲେ । କିନ୍ତୁ ନଗଦ ଟଙ୍କା ସହ ବିଭିନ୍ନ ଏଟିଏମ୍ କାର୍ଡ ଓ କ୍ରେଡିଟ କାର୍ଡ ଇତ୍ୟାଦି ଥିବା ବିନୋଦଙ୍କ ମନିପର୍ସକୁ ଛଡ଼ାଇ ନେବାରେ ଦୁର୍ବୁତ୍ତମାନେ ସଫଳ ହୋଇଥିବା ଜଣାପଡ଼ିଛି । ଛୁରୀମାଡ଼ରେ ବିନୋଦଙ୍କ ଡାହାଣ ହାତର ୨ଟି ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଛି । ଖବର ପାଇ ବଣିକ ସଂଘ ସଭାପତି ରାଜେଶ ମେହେର, ସୁନାରୀ ସଂଘର ସୁଶାନ୍ତ ମେହେର, ଉଠାଦୋକାନୀ ସଂଘର ଡିଗରେଶ୍ୱର ମେହେର ଓ ଅନ୍ୟମାନେ ପହଞ୍ଚି ବିନୋଦକୁ ଡାକ୍ତରଖାନାରେ ଚିକିତ୍ସା କରାଇବା ସହ ପାଟଣାଗଡ଼ ଥାନାରେ ପହଞ୍ଚିଥିଲେ । ତେବେ ପାଟଣାଗଡ଼ ଅଞ୍ଚଳରେ ହତ୍ୟା, ରାହାଜାନୀ ଓ ଡକାୟତି ଇତ୍ୟାଦି ଘଟଣାମାନ ବୃଦ୍ଧି ପାଉଥିବାବେଳେ ପୁଲିସର ନିଷ୍କ୍ରିୟତାକୁ ନେଇ ବଣିକ ସଂଘ ଗଭୀର ଉଦବେଗ ପ୍ରକାଶ କରିଛି । ଏହାଛଡ଼ା ଆଗାମୀ ୧୫ଦିନ ମଧ୍ୟରେ କୌଣସି ସୁଫଳ ନ ମିଳିଲେ ସଂଘ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ସଂଘର ସଭାପତି ରାଜେଶ ମେହେର କହିଛନ୍ତି ।