ଲିମା,ଏଜେନ୍ସି: ଚଳିତ ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ରେ ଭାରତ ତା’ର ପଦକ ଖାତା ଖୋଲିଛି। ଦଳର ପୁରୁଷ ଟ୍ରାପ୍ ଟିମ୍ ବ୍ରାଜିଲ୍କୁ ହରାଇ ବ୍ରୋଞ୍ଜ୍ ପଦକ ହାସଲ କରିଛି। ଏହି ଦଳରେ କିନାନ୍ ଚେନାଇ, ମାନବାଦିତ୍ୟ ସିଂହ ରାଠୋର୍ ଓ ଶପଥ ଭରଦ୍ୱାଜ ରହିଥିବା ବେଳେ ବ୍ରୋଞ୍ଜ୍ ପଦକ ପାଇଁ ଅନୁଷ୍ଠିତ ମୁକାବିଲାଟି ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପାଞ୍ଚ ଶଟ୍ ବିଶିଷ୍ଟ ଏହି ମୁକାବିଲାରେ ସ୍ଥିତି ୫-୫ରେ ଟାଇ ହୋଇଥିଲା। ଶେଷରେ ଭାରତୀୟ ଟିମ୍ ବ୍ରାଜିଲକୁ ପଛରେ ପକାଇ ବ୍ରୋଞ୍ଜ୍ ଜିତିବାରେ ସକ୍ଷମ ହୋଇଛି। ଏହି ଇଭେଣ୍ଟ୍ର କ୍ୱାଲିଫିକେସନ୍ ରାଉଣ୍ଡ୍ରେ ସମୁଦାୟ ୧୧ଟି ଟିମ୍ ଅଂଶଗ୍ରହଣ କରିଥିବା ବେଳେ ଭାରତୀୟ ଟିମ୍ ଚତୁର୍ଥରେ ରହିଥିଲା। ଏହି ରାଉଣ୍ଡ୍ରେ ଟିମ୍କୁ ୨୨୫ରୁ ୨୦୫ ପଏଣ୍ଟ୍ ମିଳିଥିଲା।
ଅନ୍ୟପକ୍ଷରେ ୨୦୭ ପଏଣ୍ଟ୍ ସହ ବ୍ରାଜିଲ୍ ତୃତୀୟ ସ୍ଥାନରେ ରହିଥିବାରୁ ବ୍ରୋଞ୍ଜ୍ ପଦକ ପାଇଁ ଦଳର ମୁକାବିଲା ଭାରତ ସହ ହୋଇଥିଲା। ଏହି ଇଭେଣ୍ଟ୍ରେ ସ୍ପେନ୍କୁ ହରାଇ ଆମେରିକା ସ୍ୱର୍ଣ୍ଣପଦକ ହାସଲ କରିଛି। ସେହିପରି ମହିଳା ବିଭାଗରେ ଭେଟେରାନ୍ ଶୁଟର୍ ଶଗୁନ୍ ଚୌଧୁରୀ ମହିଳା ଟ୍ରାପ୍ ଇଭେଣ୍ଟ୍ରେ ଭଲ ପ୍ରଦର୍ଶନ କରିଥିଲେ ହେଁ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଛନ୍ତି। କ୍ୱାଲିଫିକେସନ୍ ରାଉଣ୍ଡ୍ରେ ସେ ୧୧୧ ପଏଣ୍ଟ୍ ପାଇ ଷଷ୍ଠ ସ୍ଥାନରେ ରହିବା ସହ ଦ୍ୱିତୀୟ ସେମିଫାଇନାଲ୍ ସକାଶେ ଯୋଗ୍ୟତା ପାଇଥିଲେ।
ସେମିଫାଇନାଲ୍ରେ ସେ ୨୫ରୁ ୨୪ ଥର ଟାର୍ଗେଟ୍ ହିଟ୍ କରି ପଦକ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ତେବେ ଏହି ପର୍ଯ୍ୟାୟରେ ସେ ପୂର୍ବ ପର୍ଯ୍ୟାୟର ପ୍ରଦର୍ଶନକୁ ଦୋହରାଇବାରେ ବିଫଳ ହୋଇ ଚତୁର୍ଥ ସ୍ଥାନରେ ରହିଥିଲେ। ଏହି ଇଭେଣ୍ଟ୍ରେ ଇଟାଲୀ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ୍ ପଦକ ଜିତିଥିବା ବେଳେ ଆମେରିକା ରୌପ୍ୟ ପଦକ ଜିତିଛି।