ଓଡ଼ିଶାରେ ପଶ୍ଚିମବଙ୍ଗ ସ୍ଥିତି, ବିଜେଡି ରକ୍ତମୁଖା ସାଜିଛି : ବିଜେପି

କୁଳମଣି ବରାଳ ହତ୍ୟା ପ୍ରସଙ୍ଗ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପଶ୍ଚିମବଙ୍ଗ ପରି ଓଡ଼ିଶାରେ ରାଜନୈତିକ ହିଂସା ଦେଖାଦେଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲେ ଯେପରି ବିଜେପି ନେତାଙ୍କୁ ହତ୍ୟା କରାଯାଉଛି, ଠିକ୍ ସେହିପରି ରାଜ୍ୟରେ ବିଜେଡିର ଦୁର୍ନୀତି ଭଷ୍ଟ୍ରାଚାର ବିରୁଦ୍ଧରେ ମୁହଁଖୋଲିଲେ ଶାସକଦଳ ନେତାଙ୍କ ନିର୍ଦ୍ଦେଶରେ ବିରୋଧୀଙ୍କୁ ହତ୍ୟା କରାଯାଉଛି। ଶାସକ ବିଜେଡି ଏବେ ରକ୍ତମୁଖା ସାଜିଛି। ଶନିବାର ରାତିରେ ବିଜେପିର ବରିଷ୍ଠନେତା ତଥା ମାହାଙ୍ଗା ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳଙ୍କୁ ରାଜନୈତିକ ଶତ୍ରୁତା ରଖି ବୀଭତ୍ସ ଭାବେ ହତ୍ୟା କରିବା ଏହାର ଜ୍ୱଳନ୍ତ ଉଦାହରଣ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର କହିଛନ୍ତି।
ଶ୍ରୀ ମହାପାତ୍ର କହିଛନ୍ତି ଯେ ମାହାଙ୍ଗା ନିର୍ବାଚନମଣ୍ଡଳୀର ନୃତଙ୍ଗ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ସାମ୍ନାକୁ ଆସିଥିଲା। ଏହା ବିରୁଦ୍ଧରେ ବିଜେପି ନେତା କୁଳମଣି ବରାଳ ସ୍ୱର ଉଠାଇଥିଲେ। ଗରିବ ଲୋକଙ୍କପାଇଁ ମୋଦୀ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲାଗୁ କରିଥିବାବେଳେ ରାଜ୍ୟରେ ବିଜେଡି ସରକାର ଦଳୀୟ ଆଧାରରେ ଧନୀକ ଶ୍ରେଣୀର ବିଜେଡି ନେତାଙ୍କ ଭିତରେ ଏହି ଘରକୁ ବଣ୍ଟନ କରିଥିଲେ। ଏହାକୁ ବିରୋଧ କରି ଶ୍ରୀ ବରାଳ ସାମ୍ବାଦିକ ସମ୍ମିଳନୀ କରିଥିଲେ ଏବଂ ଏହାପରେ ପିଡି ଡିଆରଡିଏ ଅଯୋଗ୍ୟ ହିତାଧିକାରୀଙ୍କ ପାଖକୁ ନୋଟିସ୍ ପଠାଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଶାସକଦଳର କର୍ମୀମାନେ କୁଳମଣି ବରାଳଙ୍କୁ ହତ୍ୟା କରିଛନ୍ତି। ଏହା ପୂର୍ବରୁ ୨୦୧୮ରେ ମାହାଙ୍ଗାର ବିଜେପି ନେତା ବିକାଶ ଜେନାଙ୍କୁ ହତ୍ୟା କରିଥିବା ଦୁର୍ବୃତ୍ତଙ୍କୁ ଏପର୍ଯ୍ୟନ୍ତ ପୁଲିସ ଧରିପାରିଲା ନାହିଁ। ଏଥିରୁ ସ୍ପଷ୍ଟହୋଇଛି ଯେ ଶାସକ ଦଳ ନିର୍ଦ୍ଦେଶରେ ବିଜେପି ନେତାଙ୍କୁ ହତ୍ୟା କରାଯାଉଛି ଏବଂ ପରେ ଶାସକଦଳ ହତ୍ୟାକାରୀଙ୍କୁ ସୁରକ୍ଷାଦେଉଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଧନୀକ ଶ୍ରେଣୀର ବିଜେଡିନେତା ଯେଉଁମାନେ ବେଆଇନ ଭାବେ ପକ୍କାଘର ହାତେଇଛନ୍ତି ସେମାନଙ୍କର ତାଲିକା ବିଜେପି କର୍ମୀମାନେ ରାଜ୍ୟର ସମସ୍ତ ଗାଁର କାନ୍ଥବାଡ଼ରେ ଲଗାଇବେ। ଘର ପାଇନଥିବା ଯୋଗ୍ୟ ହିତାଧିକାରୀଙ୍କୁ ଘରଦେବା ପର୍ଯ୍ୟନ୍ତ ବିଜେପି ଲଢ଼େଇ କରିବ। ବିଜେଡି ଗୁଣ୍ଡାମାନେ ଯେପରି ବିଜେପି ନେତାଙ୍କୁ ହତ୍ୟାକରି ଭୟ ସୃଷ୍ଟିକରିବାକୁ ଅପଚେଷ୍ଟା କରୁଛନ୍ତି, ସେଥିରେ ଆମେ ବିଚଳିତ ନହୋଇ ଆଗାମୀ ଦିନରେ ଗରିବଙ୍କୁ ପକ୍କାଘର ଦେବାପାଇଁ ସଂଘର୍ଷ ଜାରିରଖିବୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ରବିବାର ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ମହାଙ୍ଗା ନୃତଙ୍ଗ ପଞ୍ଚାୟତକୁ ଯାଇ ମୃତ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀଙ୍କ ଶବ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ପରେ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ମଧ୍ୟ ଜଣାଇଥିଲେ। ଶାସକଦଳର ଲୋକେ ରାଜନୈତିକ ଆକ୍ରୋଶ ରଖି ଏଭଳି ଅମାନୁଷିକ କାଣ୍ଡ ଭିଆଇଛନ୍ତି ଏଣୁ ମନ୍ତ୍ରୀ ପ୍ରତାପ ଜେନା ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ଏହି ଅବସରରେ ଶ୍ରୀ ମହାନ୍ତି ଦାବି କରିଛନ୍ତି। ସେହିଭଳି ଶାସକଦଳର ଏଥିରେ ପ୍ରଛନ୍ନ ଭୂମିକା ରହିଛି ବୋଲି ଦୃଢ଼ ଦାବି କରିଛନ୍ତି ବିରୋଧୀ ଦଳ ନେତା ଶ୍ରୀ ନାଏକ। ସମସ୍ତେ ଦୋଷୀକୁ ଶୀଘ୍ର ଧରାଯିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗତକାଲି ଏହି ଘଟଣାକୁ ନିନ୍ଦା କରିବା ସହ କୁଳମଣିଙ୍କ ବିୟୋଗରେ ଶୋକ ପ୍ରକାଶ କରିଥିଲେ।