ନାରାୟଣପାଟଣାର ଛେଳି ପାଇବ ଜାତୀୟ ମାନ୍ୟତା

  • କୋରାପୁଟ: କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକ ଏକ ଆଦିବାସୀ ବହୁଳ ଅଞ୍ଚଳ। ଏହି ବ୍ଲକରେ ଲୋକମାନେ ସାଧାରଣତଃ ଛେଳି ଓ ଅନ୍ୟ ଗୃହପାଳିତ ପଶୁପାଳନ କରିଥାନ୍ତି। ତେବେ ନାରାୟଣପାଟଣା ଛେଳି ଏହି ସ୍ଥାନରେ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଛି। ଏହା ଏକ ସ୍ଥାନୀୟ ପ୍ରଜାତି ଯାହାର ରଙ୍ଗ ମୁଖ୍ୟତଃ ବାଦାମୀ, ବାଦାମୀ କଳା କିମ୍ବା ବାଦାମୀ ଧଳା।
    ଏହି ଛେଳିର ମୁଣ୍ଡଠାରୁ ଲାଞ୍ଜ ପର୍ଯ୍ୟନ୍ତ ଏକ କଳା ରଙ୍ଗର ପଟି ଭଳି ଲୋମ ଦେଖିବାକୁ ମିଳେ। ଏହାର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଏବଂ ମୁଖ୍ୟତଃ ଜାଆଁଳା ପିଲା ଜନ୍ମ କରିଥାଏ। ଏହି ପ୍ରଜାତିର ଛେଳି ପାଳନ କରି ଲୋକମାନେ ଲାଭବାନ ହୋଇଥାନ୍ତି। ନିକଟରେ ଏହି ଛେଳିକୁ ଜାତୀୟ ମାନ୍ୟତା ଦେବା ଉଦ୍ଦେଶ୍ୟରେ ପ୍ରାୟାସ ଆରମ୍ଭ ହୋଇଛି।
    ପୂର୍ବରୁ ଏହି ଛେଳିର ଗୁଣବତ୍ତା ବିଷୟରେ ଜାଣିବା ପାଇଁ ବହୁ ବୈଜ୍ଞାନିକ ଅନୁସନ୍ଧାନ କରିଥିଲେ । ନିକଟରେ (ଡବ୍ଲ୍ୟୁଏଏସଏସଏନ) ୱାଟର ସେଡ୍ ସପୋର୍ଟ ଆଣ୍ଡ୍ ସର୍ଭିସେସ୍ ଆକ୍ଟିଭିଟିଜ ତରଫରୁ ୪ ଜଣିଆ ବିଶେଷଜ୍ଞ ଦଳ ନାରାୟଣପାଟଣା ପହଞ୍ଚି ଏହି ଛେଳିର ଗୁଣବତ୍ତା, ପରିବେଶ, ଗଠନଶୈଳୀ ପ୍ରକାରଭେଦ ବିଷୟରେ ଅନୁଧ୍ୟାନ କରିଥିଲେ। ଏହି ଛେଳି ପ୍ରଜାତିର ପ୍ରକାର ଅନ୍ୟ ଛେଳିଠାରୁ ଭିନ୍ନ ବୋଲି କହିଥିଲେ। ଏହାର ନମୁନା ସଂଗ୍ରହ କରି ପରେ ଏହାକୁ ନ୍ୟାସନାଲ ବ୍ୟୁରୋ ଅଫ୍ ଆନିମଲ୍ ଜେନେଟିକ୍ସ ରିସୋର୍ସରେ ସ୍ଥାନ ପାଇବା ଉଦ୍ଦେଶ୍ୟରେ ପ୍ରଚେଷ୍ଟା ଜାରି କରାଯିବ ବୋଲି ବିଶେଷଜ୍ଞ ଦଳ କହିଥିଲେ।
    ନାରାୟଣପାଟଣା ପ୍ରାଣୀ ଚିକିତ୍ସାଳୟର ଡାକ୍ତର ଦେବାଶିଷ ଶତପଥୀଙ୍କ କହିବା ଅନୁଯାୟୀ ଏହି ପ୍ରଜାତିର ସଂରକ୍ଷଣ ନିହାତି ଆବଶ୍ୟକ ଏବଂ ଏହି ଦିଗରେ ଲୋକମାନେ ସଚେତନ ହେବା ଆବଶ୍ୟକ। ଯଦି ଏହି ପ୍ରଜାତିକୁ ଜାତୀୟ ମାନ୍ୟତା ମିଳନ୍ତା, ଏହା ଓଡ଼ିଶା ଏବଂ କୋରାପୁଟ ଜିଲ୍ଲା ପାଇଁ ଗର୍ବର କଥା ବୋଲି କହିଥିଲେ ଡାକ୍ତର ରାଜେଶ କୁମାର ସାହୁ।