ପାରଳା ମହାରାଜା ଗୋପୀନାଥ ଗଜପତିଙ୍କ ଶେଷାକୃତ୍ୟ ସମ୍ପର୍ଣ୍ଣ ହେଲା

ପାରଳାଖେମୁଣ୍ଡି,ଏନ୍ଏନ୍ଏସ୍: ପାରଳା ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କର ଆଜି ସକାଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ। ସେ ରାଜ୍ୟ ବାହାରକୁ ମଧ୍ୟ ଚିକିତ୍ସା ପାଇଁ ଯାଇଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସେଭଳି କିଛି ଉନ୍ନତି ଘଟିନଥିଲା। ଏବେ କିଛି ଦିନ ହେଲା ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ମରଶରୀର ପାରଳାଖେମୁଣ୍ଡିଠାରେ ଅପରାହ୍ନ ୪ଟାରେ ପହଞ୍ଚିଥିଲା। ଦକ୍ଷିଣ ଦ୍ୱାର ଦେଇ ମରଶରୀରକୁ ରାଜପ୍ରାସାଦର ପ୍ରବେଶ କରାଯାଇଥିଲା ଓ ସେଠାର ଜନସାଧାରଣଙ୍କ ଦର୍ଶନ ନିମନ୍ତେ କିଛି ସମୟ ରଖାଯାଇଥିଲା।

ରାଜ ପରିବାରର ପରମ୍ପରା ଅନୁଯାଇ ରାଜକୁମାରୀ କଲ୍ୟାଣୀଦେବୀଙ୍କ ରାଜ୍ୟାଭିଷେକ ପାଇଁ ପ୍ରଥମେ ଜଗନ୍ନାଥ ମନ୍ଦିରଠାରେ ଆୟୋଜନ କରାଯାଇଥିଲା। ପରେ ତାଙ୍କୁ ରାଜପ୍ରାସାଦ ମଧ୍ୟରେଥିବା ସିଂହାସନରେ ବସାଯାଇଥିଲା। ସେଠାରେ ତାଙ୍କୁ ଖଣ୍ଡା ଧରାଇ ଓ ମକୁଟ ପିନ୍ଧାଯାଇ ଅଭିଷେକ କରାଯାଇଥିଲା। ତାଙ୍କର ଆଜ୍ଞା ମିଳିବାପରେ ମହାରାଜାଙ୍କ ଶେଷକୃତ୍ୟ ପାଇଁ ସମସ୍ତ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ପରେ ସେହି ଦକ୍ଷିଣ ଦ୍ୱାର ଦେଇ ଜଙ୍ଗମ ସାହି ନିକଟରେ ଥିବା ରାଜ ସମାଧି ସ୍ଥଳକୁ ନିଆଯାଇଥିଲା।

ଏହି ଅନ୍ତିମ ଯାତ୍ରା ସମୟରେ ତାଙ୍କ ସହ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣରାଓ, ଜିଲ୍ଲାପାଳ ଅନୁପମ ସାହ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ପ୍ରମୁଖ ସମାଧି ସ୍ଥଳ ପର୍ଯ୍ୟନ୍ତ ଯାଇଥିଲେ। ପ୍ରାୟ ୨୦ହଜାରରୁ ଊଦ୍ଧ୍ୱର୍ ଜନସାଧାରଣ ଏହି ଅନ୍ତିମଯାତ୍ରାରେ ସାମିଲ ହୋଇଥିଲେ। ଅନ୍ତିମଯାତ୍ରା ସମୟରେ ‘ପାରଳା ମହାରାଜା ଅମରରହେ’ ଧ୍ୱନୀରେ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା। ସମାଧି ସ୍ଥଳରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ପହଞ୍ଚି ସ୍ୱର୍ଗୀୟ ମହାରାଜାଙ୍କ ଶେଷଦର୍ଶନ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ମହାରାଜାଙ୍କୁ ସମାଧିସ୍ଥଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ ସମ୍ମାନ ସହ ଗାର୍ଡ ଅଫ ଅନର ଦିଆଯାଇଥିଲା।
ମହାରାଜା ଗୋପୀନାଥ ଗଜପତି ୧୯୪୩ ମସିହା ମାର୍ଚ୍ଚ ୬ ତାରିଖରେ ପାରଳାଖେମୁଣ୍ଡିରେ ଜନ୍ମଗ୍ରହଣ କରିଥିଲେ। ସେ ପ୍ରଥମେ କଂଗ୍ରେସରେ ଯୋଗଦେଇଥିଲେ। ୯ମ ଓ ୧୦ମ ଲୋକସଭାକୁ ସେ କଂଗ୍ରେସରୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ସେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଇଥିଲେ। ତାଙ୍କର ଗୋଟିଏ ପୁଅ ଓ ଝିଅ ଥିଲେ। କିନ୍ତୁ ପୁଅଙ୍କର ୨୦୧୫ରେ ମୃତ୍ୟୁ ହୋଇଥିଲା। ଚେନାଇରେ ରହୁଥିବା ଝିଅ କଲ୍ୟାଣିଦେବୀଙ୍କୁ ଆଜି ରାଜ୍ୟାଭିଷେକ କରାଯାଇଛି।