ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ସିଡିଏସ୍‌ ଅନୀଲ ଚୌହ୍ବାନ

ନୂଆଦିଲ୍ଲୀ,ଏଜେନ୍ସି: ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଦାୟିତ୍ବ ନେବାପରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଛନ୍ତି ଅନୀଲ ଚୌହ୍ବାନ । ଅବସରପ୍ରାପ୍ତ ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନ ନୂଆ ସିଡିଏସ ଭାବେ ଦାୟିତ୍ବ ନେଇଛନ୍ତି । ତାସହିତ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ମଧ୍ୟ ସେ ଦାୟିତ୍ବ ତୁଲାଇବେ । ପତ୍ନୀ ଓ ପରିବାର ସହିତ ନୂଆଦିଲ୍ଲୀରେ ଆୟୋଜିତ ଏକ ସମାରୋହରେକ ତିନି ସେନାର ସେନାପତି ଭାର ଗ୍ରହଣ କରିଛନ୍ତି ଅନୀଲ ଚୌହାନ ।

ଦାୟିତ୍ବ ନେବା ପରେ ୩ ସେନା ସମସ୍ତ ପ୍ରକାରର ଚ୍ୟାଲେଞ୍ଜର ମୁକାବିଲା କରିବେ ଓ ମିଳିତ ଭାବେ ସବୁ ସମସ୍ୟାର ସାମାଧାନ କରାଯିବ ବୋଲି ଜେନେରାଲ ଚୌହାନ କହିଛନ୍ତି । ଇଷ୍ଟର୍ଣ୍ଣ ଆର୍ମିର ପୂର୍ବତନ କମାଣ୍ଡର ହେଉଛନ୍ତି ସିଡିଏସ୍‌ ଜେନେରାଲ ଅନୀଲ ଚୌହାନ । ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ ରାୱତ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇବାର ପ୍ରାୟ ୯ ମାସ ପରେ ଏହି ପଦରେ ଅନୀଲ ଚୌହ୍ବାନଙ୍କୁ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର ।

ଜେନେରାଲ ଚୌହାନ କହିଛନ୍ତି, ”ମୁଁ ୩ ସେନା ବାହିନୀର ସମସ୍ତ ଆଶାକୁ ପୂରଣ କରିବାକୁ ଚେଷ୍ଟା କରିବି । ଆମେ ସମସ୍ତ ପ୍ରକାରର ଚ୍ୟାଲେଞ୍ଜ ଓ ସମସ୍ୟାକୁ ମିଳିତ ଭାବେ ମୁକାବିଲା କରିବୁ ।” ଆଗାମୀ ଦିନରେ ଆସିବାକୁ ଥିବା ସମସ୍ତ ଚ୍ୟାଲେଞ୍ଜକୁ ମୁକାବିଲା କରିବାକୁ ସିଡିଏସଙ୍କ ସ୍ବତନ୍ତ୍ର ଯୋଜନା ଉପରେ ନଜର ରହିବ ।

ଭାରତୀୟ ସେନାରେ ଦୀର୍ଘ ୪୦ ବର୍ଷ ସେବା ପ୍ରଦାନ କରିଥିବା ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନ ଅନେକ କମାଣ୍ଡର ନେତୃତ୍ବ ନେଇଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନଙ୍କ ଆତଙ୍କବାଦୀ ଗତିବିଧୀ ଅପରେସନରେ ଅନେକ ଅଭିଜ୍ଞତା ରହିଛି । ୨୦୧୯ ବାଲାକୋଟ ଏୟାର ଷ୍ଟ୍ରାଇକବେଳେ ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନ ସାମରିକ ଅପରେସନ ବିଭାଗ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ସିଡିଏ ଗତବର୍ଷ ମେ’ ୩୧ ତାରିଖରେ ସେନା ବାହିନୀରୁ ଅବସର ନେଇଥିଲେ ।

ତିନି ସେନାର ଦ୍ବିତୀୟ ତଥା ନୂଆ ସିଡିଏସ୍‌ ନିଯୁକ୍ତ ହେବାପରେ ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନଙ୍କ ପୈତୃକ ଗ୍ରାମରେ ଉତ୍ସବର ମାହୋଲ ରହିଥିଲା । ପାଉରୀ ଗରହ୍ବାଲ ଜିଲ୍ଲା ରାମପୁର ଗ୍ରାମ ପଞ୍ଚାୟତ ଗୱାନା ହେଉଛି ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନଙ୍କ ପୈତୃକ ଗ୍ରାମ । ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନଙ୍କ ପରିବାର ବର୍ଗ ଗ୍ରାମବାସୀଙ୍କୁ ମିଠା ବାଣ୍ଟି ଉତ୍ସବ ପାଳିଛନ୍ତି । ଗୱାନା ଗ୍ରାମରେ ୧୯୬୧ ମସିହା ମେ ୧୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନ ।