ଜୟପୁର,ଏଜେନ୍ସି: ରାଜସ୍ଥାନ କଂଗ୍ରେସରେ ବିବାଦ ପରେ ଆଜି ପ୍ରଥମଥର ପାଇଁ ସାମ୍ନାସାମ୍ନି ହେବେ ପାଇଲଟ-ଗେହଲଟ। ବିଧାନସଭା ଅଧିବେଶନ ପୂର୍ବରୁ ସଚିନ ପାଇଲଟ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହିତ କେନ୍ଦ୍ରୀୟ ଟିମ ଆଲୋଚନା କରିବେ। କଂଗ୍ରେସ ସଂଗଠନ ମହାସଚିବ କେ ସି ବେଣୁଗୋପାଲ, ପ୍ରଭାରୀ ଅବିନାଶ ପାଣ୍ଡେ, ରଣଦୀପ ସୂର୍ଯେବାଲା ଏବଂ ଅଜୟ ମାକେନଙ୍କ ଉପସ୍ଥିତିରେ ଦୁଇ ନେତାଙ୍କ ସହ ଆଲୋଚନା କରାଯିବ।
ସେପଟେ ଆସନ୍ତାକାଲି ହେବାକୁ ଥିବା ବିଧାନସଭା ଅଧିବେଶନ ପାଇଁ ଆଜି ଏକାଠି ହେବେ ସମସ୍ତ ବିଧାୟକ। ଏନେଇ ଉଭୟ ଗୋଷ୍ଠୀ ବିଧାୟକ ଜୟପୁରରେ ପହଞ୍ଚିଥିବା ଜଣାପଡ଼ିଛି। ଏହି ବୈଠକରେ ବିଧାନସଭା ଅଧିବେଶନ ଏବଂ ଆଗାମୀ ଦିନ ପାଇଁ ରଣନୀତି ପ୍ରସ୍ତୁତ କରାଯିବ।
ସେହିପରି ସଚିନ ପାଇଲଟଙ୍କୁ ଭବିଷ୍ୟତରେ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ଦଳ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିବା କୁହାଯାଉଛି। ତେବେ ପାଇଲଟ ଦଳ ଓ ସରକାର ପାଇଁ କାର୍ଯ୍ୟ କରିବେ ବୋଲି ରାଜି ହୋଇଛନ୍ତି।