ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଇଣ୍ଡିଆନ୍ ଅଏଲ୍ ଓ ଯୁକ୍ତ ରାଷ୍ଟ୍ର ଆମୋରିକାର ଏକ୍ସନ୍ ମୋବିଲ କର୍ପୋରେସନ୍ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି । ଏହା ଭାରତର ଅପହଞ୍ଚ ଅଞ୍ଚଳରେ ପ୍ରାକୃତିକ ଗ୍ୟାସ୍ ଯୋଗାଣରେ ବେଶ୍ ସହାୟକ ହେବ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି, ଏକ୍ସନ ମୋବିଲ ସହ ଇଣ୍ଡିଆନ୍ ଅଏଲ୍ର ବୁଝାମଣା ସ୍ୱାକ୍ଷର ଆଧାରରେ ଦେଶର ପାଇପ୍ ଲାଇନ୍ ଯୋଗେ ପ୍ରାକୃତିକ ଗ୍ୟାସ୍ ନପହଞ୍ଚି ପାରୁଥିବା ଅଞ୍ଚଳରେ ଏକ୍ସନ୍ ମୋବିଲ ରେଳ, ରାସ୍ତା ଓ ଜଳ ପଥରେ ପ୍ରାକୃତିକ ଗ୍ୟାସ୍ ପହଞ୍ଚାଇବ । ଏହି ଯୋଗାଣ ପ୍ରକ୍ରିୟା ସୁରକ୍ଷିତ, ଭରସାଯୋଗ୍ୟ ଏବଂ କମ୍ ଖର୍ଚ୍ଚରେ ହୋଇପାରିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।