ହରିଶଙ୍କରରେ କୁଢକୁଢ ଆବର୍ଜନା, ଚିନ୍ତାରେ ଅଞ୍ଚଳବାସୀ

ଖପ୍ରାଖୋଲ,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ତୀର୍ଥସ୍ଥଳୀ ହରିଶଙ୍କରଠାରେ ନୃସିଂହ ଚତୁର୍ଦ୍ଦଶୀମେଳା ତଥା ହରିଶଙ୍କର ମହୋତ୍ସବ ଗତ ୧୬ ତାରିଖରେ ଶେଷ ହୋଇଛି। ତିନିଦିନ ଧରି ଅନୁଷ୍ଠିତ ଏହି ମହୋତ୍ସବରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବା ସହିତ ଶତାଧିକ ଦୋକାନ ବଜାର ବସିଥିଲା। ଶ୍ରଦ୍ଧାଳୁମାନେ ଫେରିଯାଇଥିଲେ ମଧ୍ୟ କୁଢ କୁଢ ଆବର୍ଜନା ଛାଡିଦେଇ ଯାଇଛନ୍ତି।

ଯାହାକି ଏହି ପୀଠର ପବିତ୍ରତାକୁ ନଷ୍ଟ କରିବା ସହିତ ପରିବେଶକୁ ଦୂଷିତ କରିପାରିଛି। ହରିଶଙ୍କର ମନ୍ଦିର ନିକଟ ଅଞ୍ଚଳ, ଜଙ୍ଗଲ ବିଭାଗ ବଙ୍ଗଲା, ମାର୍କେଟ କମ୍ପେ୍ଲକ୍ସ ନିକଟ, ପଲ୍ଲୀଶ୍ରୀ ମେଳା ସ୍ଥାନ ସହିତ ମୁଖ୍ୟ ରାସ୍ତାର ଦୁଇ ପାଶ୍ୱରେ କୁଢକୁଢ ଆବର୍ଜନା ପଡିଛି। ପ୍ଲାଷ୍ଟିକ ଆବର୍ଜନା ଗୁଡିକୁ ଗାଇଗୋରୁ ଖାଉଥିବା ବେଳେ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି।

ପାଟଣାଗଡ ଏନ୍‌ଏସି ପକ୍ଷରୁ ସଫେଇ କର୍ମଚାରୀମାନେ ସଫେଇ କାର୍ଯ୍ୟ ଅଧାପନ୍ତରୀଆ ଭାବେ କରିଥିବା ଅଭିଯୋଗ ହୋଇଛି। ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ ବର୍ଷା ଉପରେ ଭରଷା, ସବୁ ଅଳିଆ ଆବର୍ଜନା ସଫା ହୁଏ ବୋଲି କହିଛନ୍ତି। ଏପରିକି ସଫେଇ କାର୍ଯ୍ୟପାଇଁ ସ୍ଥାନୀୟ ବ୍ୟବସାୟୀଙ୍କ ଠାରୁ ଚାନ୍ଦା ଆଦାୟ କରିଥିବା ଅଭିଯୋଗ ହୋଇଛି। ହରିଶଙ୍କରକୁ ବର୍ଷର ଅନ୍ୟଦିନ ମାନଙ୍କରେ ସ୍ୱେଚ୍ଛାସେବୀ ସଂଗଠନ, ଦେବୋତ୍ତର ବିଭାଗ ସଫେଇ କାର୍ଯ୍ୟ କରାଉଥିବା ବେଳେ ଏହି ସମୟରେ ସଫେଇ କାର୍ଯ୍ୟ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।