ଦେଢ଼ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ, ଜଣେ ଗିରଫ

ଦେବଗଡ଼,ଏନ୍ଏନ୍ଏସ୍: କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଚଢ଼େଇମରା ଗ୍ରାମଦେଇ ଯାଇଥିବା ରାଞ୍ଚି -ବିଜୟୱାଡା ଜାତୀୟ ରାଜପଥରେ ଏକ ଅଟୋରୁ ଦେଢ଼ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ କୁଣ୍ଢେଇଗୋଳା ପୁଲିସ ହାତରେ ଧରାପଡ଼ିଛି। ଏଥିସହିତ ପୁଲିସ ଜଣକୁ ଗିରଫ କରିବାରେ ସଫଳ ହୋଇଥିବା ନେଇ ସୂଚନା ମିଳିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପାଟକମୁଣ୍ଡା ଗ୍ରାମର ସୁଧାଂଶୁ ଶେଖର ସାହୁ (୩୨)।

ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କୁଣ୍ଢେଇଗୋଳା ଥାନା ପୁଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଚଢ଼େଇମରା ଗ୍ରାମ ଛକଠାରେ ଏକ ଅଟୋ ଦ୍ରୁତ ଗତିରେ ଯାଉଥିବା ଦେଖିବାକୁ ପାଇଥିଲା। ଏହା ଦେଖି ପୁଲିସକୁ ସନ୍ଦେହ ହେବାରୁ ଉକ୍ତ ଅଟୋକୁ ଅଟକାଇଥିଲା। ସେହି ସମୟରେ ଅଟୋ ଚାଳକ ଅଟୋକୁ ଛାଡ଼ି ଖସିଯିବାକୁ ଉଦ୍ୟମ କରୁଥିବାବେଳେ ପୁଲିସ କାବୁ କରି ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ଅଟୋରେ ଗଞ୍ଜେଇ ଥିବା ଜାଣି ଅଟୋ ସମେତ ଚାଳକକୁ ଆଣି ପଚରାଉଚୁରା କରିଥିଲା। ପଚରାଉଚୁରା ବେଳେ ଅଭିଯୁକ୍ତ ଅଟୋ ଚାଳକ ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ଆଣି ନିଜ ଘରେ ରଖିବା ପରେ ଗତକାଲି ରାତିରେ ଏହାକୁ ଏକ ଅଟୋ ଯୋଗେ ସମ୍ବଲପୁରକୁ ଚାଲାଣ କରୁଥିଲା ବୋଲି ଜଣା ପଡ଼ିଥିଲା। ଆଜି ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ଉପସ୍ଥିତିରେ ଥାନାଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ରଙ୍କ ନିକଟରେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ୱୀକାର କରିଥିଲା। ତେବେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନ କରାଯିବା ପରେ ଏହା ୧ କ୍ୱିଣ୍ଟାଲ ୭୦ କେଜି ହୋଇଥିଲା। ଆସନ୍ତାକାଲି ଅଭିଯୁକ୍ତ ସୁଧାଂଶୁକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିିଛି।