ହାଇଦ୍ରାବାଦ: ହାଇଦ୍ରାବାଦରେ ଜଣେ ମହିଳା ପଶୁ ଚିକିତ୍ସାଧିକାରୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଇ ପାଇଥିଲାବେଳେ ଶନିବାର ମଣ୍ଡଳସ୍ତରୀୟ ନିର୍ବାହୀ ମାଜିଷ୍ଟ୍ରେଟ୍ ୪ ଜଣ ଅଭିଯୁକ୍ତ ମହମ୍ମଦ ଆରିଫ୍, ଚିନ୍ତକୁଣ୍ଟା ଚେନ୍ନାକେଶାଭୁଲୁ, ଜୋଲୁ ଶିବା ଓ ଜୋଲୁ ନବୀନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।
ମେହବୁବନଗର ଫାଷ୍ଟଟ୍ରାକ୍ କୋର୍ଟରେ ବିଚାରପତି ନଥିବାରୁ ଏମାନଙ୍କୁ ସେଠାରେ ହାଜର କରାଯାଇନପାରି ମଣ୍ଡଳ ନିର୍ବାହୀ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା। ଏମାନଙ୍କୁ ମେହବୁବନଗର ଜେଲ୍କୁ ପଠାଯିବାର ସମ୍ଭାବନା ରହିଛି। ଇତିମଧ୍ୟରେ ଏହି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଉ କେତେକ ତଥ୍ୟ ପଦାକୁ ଆସିଛି। ଅଭିଯୁକ୍ତମାନେ ଡାକ୍ତରାଣୀଙ୍କୁ ଦୁଷ୍କର୍ମ କରିବା ପୂର୍ବରୁ ମୃଦୁପାନୀୟରେ ମଦ ମିଶାଇ ତାଙ୍କୁ ଜବରଦସ୍ତ ପିଆଇଥିଲେ।
ପୁଲିସ ସୂତ୍ରରୁ ପ୍ରକାଶ ଯେ ଅଭିଯୁକ୍ତମାନେ ସମ୍ସାବାଦ୍ ଟୋଲ୍ ପ୍ଲାଜା ନିକଟରେ ଥିବା ଗାଁରୁ ମଦ କିଣିଥିଲେ। ସେମାନେ ନିଜେ ପିଇବା ସହ ମୃତା ଡାକ୍ତରାଣୀଙ୍କୁ ପିଆଇଥିଲେ। ଏହାପରେ ସେମାନେ ତାଙ୍କୁ ଦୁଷ୍କର୍ମ କରିଥିଲେ। ଅପରାଧୀମାନେ ଦୁଷ୍କର୍ମ କଲାବେଳେ ପୀଡ଼ିତାଙ୍କ ମୁହଁକୁ ଘୋଡ଼ାଇ ଦେଇଥିବାରୁ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ଅଭିଯୁକ୍ତମାନେ ପେଟ୍ରୋଲ କିଣି ମୃତଦେହ ପୋଡ଼ିଦେଇଥିଲେ। ଉଲ୍ଲେଖଯୋଗ୍ୟ ମୁଖ୍ୟ ଅଭିଯୁକ୍ତ ଆରିଫ୍ ଜଣେ ଗାଡ଼ିଚାଳକ। ଅନ୍ୟ ଅଭିଯୁକ୍ତମାନେ କ୍ଲିନର୍ ଭାବେ କାମ କରୁଥିଲେ। ଏମାନେ ଅଧାରୁ ପାଠଛାଡ଼ି ଅପରାଧ ଜଗତରେ ପାଦ ଦେଇଥିଲେ।