ଭୋପାଳ: ମଧ୍ୟପ୍ରଦେଶର ଛତରପୁର ପୁଲିସ ଜଣେ କୁଖ୍ୟାତ ଅପରାଧୀକୁ କୌଶଳ କରି ଅତି ନାଟକୀୟ ଭାବରେ ଗିରଫ କରିଛି। ଏକ ହତ୍ୟା ମାମଲାରେ ଜଡ଼ିତ ଥିବା ଏହି ଅପରାଧୀକୁ ପୁଲିସ ଗିରଫ କରିବାକୁ ଖୋଜୁଥିଲା। ତାକୁ ଧରିଦେବା ଲାଗି ପୁଲିସ ପକ୍ଷରୁ ୧୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ପୁଲିସ ସୂତ୍ରରୁ ପ୍ରକାଶ ଯେ, ବାଲକିଷନ ଚୌବେ ଜଣେ ଖୁନୀ ଆସାମୀ। ତା’ର ଘର ଉତ୍ତରପ୍ରଦେଶର ମାହୋବା ଜିଲ୍ଲା ଅନ୍ତର୍ଗତ ବିଜୌରି ଗାଁରେ। ସେ ଗତ ଅଗଷ୍ଟ ମାସରେ ମଧ୍ୟପ୍ରଦେଶର ନାଓଗାଓଁ ଅଞ୍ଚଳରେ ଜଣକୁ ହତ୍ୟା କରିଥିଲା।
ପୁଲିସକୁ ସୂଚନା ମିଳିଲା ଯେ ଚୌବେ ଜଣେ ମହିଳାଙ୍କୁ ବିବାହ କରିବାକୁ ଖୋଜୁଛି। ତାକୁ ଧରିବାକୁ ପୁଲିସ ଜାଲ ବିଛାଇଲା। ତା’ ସହ ମୋବାଇଲ୍ରେ ଯୋଗାଯୋଗ କରିବାକୁ ଜଣେ ମହିଳା ପୁଲିସଙ୍କୁ ଦାୟିତ୍ୱ ଦିଆଗଲା। ବୁନ୍ଦେଲଖଣ୍ଡର ଜଣେ ମହିଳା ଶ୍ରମିକଙ୍କ ନାମରେ ଥିବା ସିମ୍କାର୍ଡ ଯୋଗାଡ଼ କରାଗଲା। ଏହି ମହିଳା ଶ୍ରମିକ ଜଣକ ଏବେ ନୂଆଦିଲ୍ଲୀରେ ରହୁଛନ୍ତି।
ମହିଳା ଏସ୍ଆଇ ଜଣକ ଚୌବେଙ୍କ ସହ ଏହି ସିମ୍କାର୍ଡ ବ୍ୟବହାର କରି ମୋବାଇଲ୍ରେ ଯୋଗାଯୋଗ କଲେ ଏବଂ କହିଲେ, ମୁଁ ଭୁଲବଶତଃ ଏହି ନମ୍ବରକୁ କଲ୍ କରିଛି। ଏହି ସମୟରେ ଚୌବେ ତାଙ୍କୁ ବିଭିନ୍ନ କଥା ସମ୍ପର୍କରେ ପଚାରିଥିଲା। ଗୋଟିଏ ସପ୍ତାହ ପରେ ଚୌବେ ମହିଳା ପୁଲିସଙ୍କୁ ବିବାହ ପ୍ରସ୍ତାବ ଦେଇଥିଲା। ବିଜୌରି ଗାଁରେ ଏକ ମନ୍ଦିରରେ ସେମାନେ ବିବାହ କରିବାକୁ ସ୍ଥିର କଲେ। ମହିଳା ସବ୍ଇନ୍ସପେକ୍ଟର ଜଣକ ମନ୍ଦିରରେ ପହଞ୍ଚଥିଲେ। ପୂର୍ବରୁ ସେଠାରେ ସାଧାପୋଷାକଧାରୀ ୩ ଜଣ ପୁଲିସ ଛକି ରହିଥିଲେ। ସେମାନେ ପହଞ୍ଚବା ମାତ୍ରେ ଚୌବେକୁ ସାଧାପୋଷାକରେ ଥିବା ପୁଲିସ ଗିରଫ କରିଥିଲା। ତାକୁ ଜେଲ୍କୁ ପଠାଇ ଦିଆଯାଇଛି।