ଦେବଗଡ଼,ଏନ୍ଏନ୍ଏସ୍: ପୁନଃଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପରେ ଦେବଗଡ଼ ପୌର ପରିଷଦ ପକ୍ଷରୁ ବହୁ ପ୍ରତିକ୍ଷୀତ ଗଣେଶ ପାର୍କ ଲୋକାର୍ପିତ ହୋଇଯାଇଛି । ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ସୌମେଶ କୁମାର ଉପାଧ୍ୟାୟ, ଆରକ୍ଷୀ ଅଧିକ୍ଷକ ପ୍ରମୋଦ କୁମାର ରଥ ଓ ବନଖଣ୍ଡ ଅଧିକାରୀ ମଗର ଧନାଜୀ ରାଓସୋ ଯୋଗଦେଇ ଫିତା କାଟି ସହରବାସୀଙ୍କ ଉଦ୍ଦେଶ୍ୟରେ ଗଣେଶ ପାର୍କକୁ ଲୋକାର୍ପିତ କରିଥିଲେ । ଏଠାରେ ଶିଶୁଙ୍କ ମନୋରଞ୍ଜନ ପାଇଁ ଦୋଳି, ସ୍ଲାଇଡ଼ର, ଜିମ ଉପକରଣ ଏବଂ ରଙ୍ଗୀନ ଆଲୋକରେ ସଜ୍ଜିତ ମ୍ୟୁଜିକ ଫାଉଣ୍ଟେନ ଜନସାଧାରଣଙ୍କୁ ବେଶ ଆକର୍ଷିତ କରିଛି । ସେହିପରି ମିଶନ ଶକ୍ତି ପକ୍ଷରୁ ଜିଲ୍ଲାର ପ୍ରଥମ ଏକ ସ୍ଥାୟୀ ଷ୍ଟଲ ଖୋଲାଯାଇ ପାର୍କକୁ ଆସୁଥିବା ଜନସାଧାରଣଙ୍କ ପାଇଁ ବିଭିନ୍ନ ସାମଗ୍ରୀ ବିକ୍ରୟ ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସହର ସୌନ୍ଦର୍ଯ୍ୟକରଣ ପାଇଁ ମୁକ୍ତା ଯୋଜନାରେ ୯୦ ଲକ୍ଷ ଟଙ୍କା ବ୍ୟୟରେ ଏହି ପାର୍କ ନିର୍ମାଣ କରାଯାଇଥିବା ନେଇ ପୌରଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ ସୂଚନା ଦେଇଛନ୍ତି ।