ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକକୁ ତିନୋଟି ବ୍ଲକରେ ବିଭାଜିତ କରିବାସହ ଏକ ନୂତନ ସବ୍ଡିଭିଜନର ମାନ୍ୟତା ପ୍ରଦାନ କରିବା ଦାବିନେଇ ଲଖନପୁର ନାଗରିକ ପରିଷଦ ପକ୍ଷରୁ ଗଣଧାରଣା ଦିଆଯାଇଛି। ଲଖନପୁର ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ ହୋଇଥିବା ଏହି ଧାରଣା ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଧାରଣାକାରୀଙ୍କ ପକ୍ଷରୁ କୁହାଯାଇଛି ଯେ, ୧୯୫୮ ମସିହାରେ ଗଠିତ ଲଖନପୁର ବ୍ଲକ ମୋଟ ୩୩ଟି ପଞ୍ଚାୟତ ବିଶିଷ୍ଟ ଏହି ବ୍ଲକ ଆୟତନ ଓ ଜନସଂଖ୍ୟା ଦୃଷ୍ଟିରୁ ରାଜ୍ୟର ଦ୍ୱିତୀୟ ବୃହତମ ବ୍ଲକ ଭାବରେ ପରିଚିତ। ହୀରାକୁଦ ଜଳଭଣ୍ଡାର ଉପକଣ୍ଠରେ ୩୬୮ ବର୍ଗ କିଲୋ ମିଟର ପରିମିତ ଅଂଚଳରେ ବ୍ଲକର ପୂର୍ବରୁ ପଶ୍ଚିମ ସୀମାକୁ ଦୂରତା ପ୍ରାୟ ୧୧୩ କିଲୋ ମିଟର ଓ ଉତ୍ତର ଦକ୍ଷିଣ ସୀମାକୁ ପ୍ରାୟ ୪୨ କିଲୋମିଟର ରହିଛି। ୩୩ଗୋଟି ଗ୍ରାମ ପଞ୍ଚାୟତକୁ ନେଇ ଗଠିତ ଏହି ବ୍ଲକ ୨୦୧୧ ଜନଗଣନା ଅନୁଯାୟୀ ପ୍ରାୟ ୧,୪୨,୪୫୩ ହୋଇଥିବା ବେଳେ ବର୍ତ୍ତମାନ ଏହା ଦ୍ରୁତ ଗତିରେ ବୃଦ୍ଧି ପାଇ ପ୍ରାୟ ୨ଲକ୍ଷକୁ ଟପିଯାଇଥିବା ଅନୁମାନ କରାଯାଉଛି।
ସମୁଦାୟ ଜନସଂଖ୍ୟାର ଶତକଡ଼ା ୪୭.୨ ଭାଗ ଅନୁସୂଚିତ ଜନଜାତି ୧୪.୭ ଭାଗ ଅନୁସୂଚିତ ଜାତି ବାସବାସ କରନ୍ତି। ଦେଶର ବିକାଶ ପାଇଁ ୧୯୫୫-୫୬ ମସିହାରେ ନିର୍ମିତ ବହୁମୁଖୀ ହୀରାକୁଦ ନଦୀବନ୍ଧ ଯୋଜନା ଓ ପରବର୍ତୀ ସମୟରେ ମହାନଦୀ କୋଇଲା ଖଣି, ବନହରପାଲି ଇବ୍ ଥର୍ମାଲ ତାପଜ ବିଦ୍ୟୁତ୍ କେନ୍ଦ୍ର ସମେତ ଅନେକ ଛୋଟ ବଡ଼ ଶିଳ୍ପ ସଂସ୍ଥାର ପ୍ରତିଷ୍ଠା ପାଇଁ ବ୍ଲକ ଅଂଚଳବାସୀ ନିଜ ଭିଟାମାଟି ତଥା ଉର୍ବର ଚାଷଜମି ଓ ଐତିହ୍ୟକୁ ହରାଇଛନ୍ତି। ବ୍ଲକ ଅଂଚଳର ବିଭିନ୍ନ ସ୍ଥାନରୁ ପ୍ରାୟ ୫୦ କିମିରୁ ଅଧିକ ରାସ୍ତା ଅତିକ୍ରମ କରି ଅଂଚଳବାସୀ ଲଖନପୁର ତହସିଲ, ବ୍ଲକରେ ପରିଚାଳିତ ବିଭିନ୍ନ ବିଭାଗୀୟ କାର୍ଯ୍ୟଳୟକୁ ଆସି ସେଠାରେ ବିଭିନ୍ନ ସମୟରେ ଉପଯୁକ୍ତ ସରକାରୀ ସେବା ପାଇନପାରି ଫେରିଯାଉଥିବା ଅଭିଯୋଗ ହୋଇଛି।
ପ୍ରକାଶଯୋଗ୍ୟ ଯେ, ଲଖନପୁର ବ୍ଲକୁ ବିଭାଜନ କରିବାସହ ସବ୍ଡିଭିଜନ ମାନ୍ୟତା ପ୍ରଦାନ କରିବା ପାଇଁ ୧୯୯୩, ୧୯୯୮ ଓ ୨୦୨୦ ମସିହାରେ ପଞ୍ଚାୟତ ସମିତି ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇ ତତ୍କାଳୀନ ଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ମିଳିନଥିବାରୁ ଲଖନପୁର ନାଗରିକ ପରିଷଦ ବାଧ୍ୟ ହୋଇ ଗଣଧାରଣା ଆରମ୍ଭ କରିଥିବା ଆନ୍ଦୋଳନକାରୀମାନେ କହିଛନ୍ତି। ଏହି ଅବସରରେ ପୂର୍ବତନ ବିଧାୟକ ମକଧ୍ୱଜ ପ୍ରଧାନ, ବିରଂଚି ସାହୁ, ଗୋପିନାଥ ମାଝୀ, ରଘୁ ନନ୍ଦନ ପଣ୍ଡା, ଗୌତମ ପ୍ରଧାନ ପ୍ରମୁଖଙ୍କସହ ଲଖନପୁରବାସୀ ଉପସ୍ଥିତ ଥିଲେ।