ଆରମ୍ଭ ହେଲା ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା, ପୁରପଲ୍ଲୀ ଉତ୍ସବମୁଖର

କେନ୍ଦ୍ରାପଡ଼ା,ଏନ୍ଏନ୍ଏସ୍: ଓଡିଶା ପ୍ରସିଦ୍ଧ ତଥା କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ରବିବାର ସନ୍ଧ୍ୟାରେ ଆରମ୍ଭ ହୋଇଛି । କେନ୍ଦ୍ରାପଡା ସହରର ବିଭିନ୍ନ ପୂଜା ମଣ୍ଡପରେ ମା ଲକ୍ଷ୍ମୀଙ୍କ ସହ ବିଭିନ୍ନ ଦେବାଦେବୀମାନେ ପୂଜା ପାଉଥିବା ଲକ୍ଷ୍ୟ କରାଯାଇଛି । ୬୯ ଟି ପୂଜା ମଣ୍ଡପରେ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଇଥିଲାବେଳେ ଆଲୋକ ମାଳାରେ ସମଗ୍ର ସହର ଝଲସୁଛି ।

ବିଭିନ୍ନ ସ୍ଥାନରେ ତୋରଣ ଓ ଆଲୋକମାଳା ଏବଂ ତା ସାଙ୍ଗକୁ ଡାକବାଜି ଯନ୍ତ୍ରରେ ବିଭିନ୍ନ ଆଧୁନିକ ଗୀତ କେନ୍ଦ୍ରାପଡା ସହରକୁ ନିଆରା କରିଦେଇଛି ।

ଏହି ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ସମସ୍ତ ମେଢକୁ ତିନୋଟି ପ୍ରକାରରେ ବିଭକ୍ତ କରାଯିବା ସହିତ ସହରର ବିଭିନ୍ନ ସ୍ଥାନରେ ୬ଟି ଅସ୍ଥାୟୀ ଫାଣ୍ଡି କରାଯାଇ ସମ୍ଭେଦନ ଶୀଳ ସ୍ଥାନମାନଙ୍କରେ ପୋଲିସ୍ ମୂତୟନ କରାଯାଇଛି । ଏଥି ସହିତ ୨୩ ପ୍ଲାଟୁନ୍ ପୋଲିସ ମୁତୟନ କରାଯାଇଛି ।

ପୂଜା ସମୟରେ ଅପରାଧି ମାନଙ୍କ ଗତିବଧି ନଜର ରଖିବା ପାଇଁ ସହରର ବିଭିନ୍ନ ସ୍ଥାନରେ ୧୫ ଲକ୍ଷ ବ୍ୟୟରେ ୩୬ ଟି ସିସି କ୍ୟାମେରା ଲଗାଯାଇଛି । ପାଗ ଅନୁକୁଳ ଥିବାରୁ ଚଳିତ ବର୍ଷର ଗଜଲକ୍ଷ୍ମୀ ପୂଜା ଅଧିକ ଉତ୍ସବମୁଖର ହୋଇପାରିବ ବୋଲି ପୂଜା କମିଟିର କର୍ମକର୍ତାମାନେ ଆଶା କରିଛନ୍ତି ।