ବେଙ୍ଗାଲୁରୁ,ଏଜେନ୍ସି: ଭାରତର ପ୍ରଥମ ମାନବବାହୀ ମହାକାଶ ଯାତ୍ରା ଅଭିଯାନ ‘ଗଗନଯାନ’ର ଉତ୍କ୍ଷେପଣ ଏକ ବର୍ଷ ଘୁଞ୍ଚିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ସଂପ୍ରତି କରୋନା ମହାମାରୀ ଯୋଗୁଁ ଏହି ପ୍ରକଳ୍ପରେ ବିଳମ୍ବ ଘଟୁଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପକ୍ଷରୁ କୁହାଯାଇଛି । ଇସ୍ରୋ ଯୋଜନା ଅନୁଯାୟୀ ଡିସେମ୍ବର ୨୦୨୦ ଓ ଜୁଲାଇ ୨୦୨୧ରେ ମାନବ ବିହୀନ ମହାକାଶ ଅଭିଯାନ ସମ୍ପାଦିତ ହେବାପରେ ୨୦୨୧ ଡିସେମ୍ବରରେ ପ୍ରଥମ ଥର ମାନବବାହୀ ମହାକାଶ ଅଭିଯାନକୁ କାର୍ଯ୍ୟକାରୀ କରିବାକୁ ଇସ୍ରୋ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିଲା । ଗଗନଯାନ ଅଭିଯାନକୁ ସଫଳ କରିବା ନିମନ୍ତେ ପ୍ରଥମେ ଦୁଇଥର ମାନବ ବିହୀନ ମହାକାଶ ଯାତ୍ରା ଅନୁଷ୍ଠିତ ହୋଇଥାନ୍ତା, ତେବେ କୋଭିଡ୍ ଯୋଗୁଁ ଏଥିରେ ବିଳମ୍ବ ଘଟୁଛି ବୋଲି ଇସ୍ରୋ ଅଧ୍ୟକ୍ଷ କେ.ଶିବନ ଏଠାରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ୨୦୨୨ ପ୍ରଥମାର୍ଦ୍ଧରେ ଏହାକୁ କାର୍ଯ୍ୟକାରୀ କରିବାକୁ ଚିନ୍ତା କରାଯାଉଥିବା ସେ କହିଛନ୍ତି ।
ଗଗନଯାନ ଅଭିଯାନ ନିମନ୍ତେ ଜିଏସଏଲଭି ଏମ୍କିଲ ରକେଟକୁ ବ୍ୟବହାର କରିବାକୁ ଇସ୍ରୋ ନିଷ୍ପତ୍ତି ନେଇଥିଲା । ମନୁଷ୍ୟଙ୍କୁ ନେଇ ମହାକାଶ ଯାତ୍ରା ନିମନ୍ତେ ଏହି ରକେଟ୍ରେ ଥିବା ଉଚ୍ଚ କ୍ଷମତାସମ୍ପନ୍ନ ସଲିଡ୍ ପ୍ରୋପେଲାଣ୍ଟ ଷ୍ଟ୍ରାପ୍-ଅନ୍ ବୁଷ୍ଟର ଏସ-୨୦୦ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ଏଥିପାଇଁ ସେଥିରେ ନୂତନ ଡିଜାଇନରେ ନିର୍ମିତ ହାର୍ଡୱେୟାର ଯନ୍ତ୍ରପାତି ଖଞ୍ଜାଯାଇଛି । ଏହି ରକେଟର ପ୍ରଥମ ପର୍ଯ୍ୟାୟ ବୁଷ୍ଟର ରକେଟର ବ୍ୟାସ ୩.୨ ମିଟର ଓ ଲମ୍ବ ୮.୫ ମିଟର ହୋଇଥିବାବେଳେ ଏହାର ଓଜନ ୫.୫ ଟନ ବୋଲି ଜଣାପଡିଛି । ସମ୍ପୂର୍ଣ୍ଣ ଘରୋଇ କାରିଗରୀ କୌଶଳରେ ଏଲ ଆଣ୍ଡ୍ ଟି ଦ୍ୱାରା ନିର୍ମିତ ହୋଇଥିବା ଏହି ବୁଷ୍ଟର ରକେଟ ଇସ୍ରୋକୁ ହସ୍ତାନ୍ତର କରାଯାଇଛି ।
ଏହା ବ୍ୟତୀତ ‘ଚନ୍ଦ୍ରଯାନ-୩’ ଅଭିଯାନ ନିମନ୍ତେ ଲ୍ୟାଣ୍ଡର ଓ ରୋଭର ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି ବୋଲି ଶିବନ ସୂଚନା ଦେଇଛନ୍ତି । ତେବେ ଚନ୍ଦ୍ରଯାନ-୩ର ଉତ୍କ୍ଷେପଣ ପାଇଁ ଇସ୍ରୋ ପକ୍ଷରୁ କୌଣସି ତାରିଖ ଧାର୍ଯ୍ୟ ହୋଇନଥିବା ସେ କହିଛନ୍ତି । ଶୁକ୍ର ଗ୍ରହ ପାଇଁ ଉଦ୍ଦିଷ୍ଟ ‘ଶୁକ୍ରଯାନ’ର ପେଲୋଡ୍ କ’ଣ ହେବ, ତାହା ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇନାହିଁ ବୋଲି ସେ କହିଛନ୍ତି । ତଥାପି ଏହି ପ୍ରକଳ୍ପକୁ ନେଇ ଇସ୍ରୋ ବୈଜ୍ଞାନିକମାନେ ଜୋରଦାର ପରିଶ୍ରମ ଜାରି ରଖିଥିବା ଶିବନ ସୂଚନା ଦେଇଛନ୍ତି । ଶୁକ୍ରଯାନ ଅଭିଯାନ ପାଇଁ ବିଗତ ଚାରିବର୍ଷ ହେଲା ଇସ୍ରୋ ପକ୍ଷରୁ ୨୦ଟି ମହାକାଶ ପରୀକ୍ଷା ନିରୀକ୍ଷାକୁ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଇଛି । ଏଥିପାଇଁ ରୁଷ, ଫ୍ରାନ୍ସ, ସ୍ୱିଡେନ ଓ ଜର୍ମାନୀଠାରୁ ବୈଷୟିକ ସହାୟତା ମଧ୍ୟ ଲୋଡାଯାଇଛି । ୨୦୨୩ ଜୁନ ସୁଦ୍ଧା ଶୁକ୍ର ଗ୍ରହ ଉପଲକ୍ଷେ ଭାରତର ପ୍ରଥମ ମହାକାଶ ଅଭିଯାନକୁ କାର୍ଯ୍ୟକାରୀ କରାଯାଇପାରେ ବୋଲି ଶିବନ ଆଶାବ୍ୟକ୍ତ କରିଛନ୍ତି ।