ବଲାଙ୍ଗିରରେ କ୍ରୀଡ଼ା ଭିତ୍ତିଭୂମିର ଆହୁରି ବିକାଶ ଆବଶ୍ୟକ: ନରସିଂହ ମିଶ୍ର

ବଲାଙ୍ଗିର,ଏନ୍ଏନ୍ଏସ୍: ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଆଜି ବଲାଙ୍ଗିର ଜିଲ୍ଲାର ଗାନ୍ଧୀ ଷ୍ଟାଡିୟମରେ ଜିଲ୍ଲା କ୍ରିକେଟ ଏକାଡେମୀର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟଅତିଥି ରୂପେ ଯୋଗଦେଇ ବିଧିବଦ୍ଧ ଭାବେ କ୍ରିକେଟ ଏକାଡେମୀର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାଜ୍ୟରେ କ୍ରୀଡ଼ା ଓ କ୍ରୀଡାବିତଙ୍କ ବିକାଶ ପାଇଁ ବିଭିନ୍ନ ସରକାରୀ ଯୋଜନାର ପ୍ରଶଂସା କରିବା ସହ ବଲାଙ୍ଗିର ଭଳି ପଛୁଆ ଜିଲ୍ଲାରେ କ୍ରୀଡାର ଭିତ୍ତିଭୂମିର ଆହୁରି ବିକାଶ କରିବା ଦିଗରେ ସରକାରୀ ଉଦ୍ୟମ ଆବଶ୍ୟକ ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଛନ୍ତି। ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା, ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକରଙ୍କ ସହ ଆର୍ନ୍ତଜାତୀୟ ମହିଳା କ୍ରିକେଟ ଖେଳାଳି ମାଧୁରୀ ମେହେଟା ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ଜିଲ୍ଲା କ୍ରୀଡ଼ା ସଂସଦର କାର୍ଯ୍ୟକାରୀ ସଭାପତି ଡା. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ହରିନାରାୟଣ ପୂଜାରୀଙ୍କ ଆବାହକତ୍ୱରେ ବାରବାଟି ଷ୍ଟାଡିୟମରୁ ଭର୍ଚୁଆଲ ମାଧ୍ୟମରେ ୧୫ଟି ଜିଲ୍ଲାରେ କ୍ରିକେଟ ଏକାଡେମୀର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ପ୍ରସାରିତ ହୋଇଥିଲା। ରାଜ୍ୟ କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ବିଭାଗୀୟ ସଚିବ ବିଶାଳ ଦେବ ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିବା ସହ ଓଡ଼ିଶାବାସୀ ଓ କ୍ରିକେଟପ୍ରେମୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରଦାନ କରିଥିଲେ। ସେହିପରି ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା, ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା, ଓଡ଼ିଶା କ୍ରିକେଟ ମୁଖ୍ୟ କୋଚ୍ ୱାସିମ ଜାଫର ଓ ପୂର୍ବତନ କ୍ରିକେଟ ଖେଳାଳୀ ପ୍ରଜ୍ଞାନ ଓଝା ମଧ୍ୟ ଭର୍ଚୁଆଲ ମାଧ୍ୟମରେ ସାମିଲ ହୋଇଥିଲେ।