ଜୁନ୍ ପହିଲାରୁ ଖୋଲିବ ଧାର୍ମିକସ୍ଥଳୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସରକାର ଜୁନ୍ ୧ରୁ ଧାର୍ମିକସ୍ଥଳୀ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏନେଇ କିଛି ସର୍ତ୍ତାବଳୀ ଜାରି କରାଯିବ ଯାହାକୁ ସଭିଙ୍କୁ ପାଳନ କରିବାକୁ ପଡ଼ିବ। ଏସମ୍ବନ୍ଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।

ମମତାଙ୍କ ଘୋଷଣା ମୁତାବକ, ସକାଳ ୧୦ଟାରୁ ସବୁ ଧାର୍ମିକସ୍ଥଳୀ ଖୋଲାଯିବ। କିନ୍ତୁ ପରିସରରେ ମାତ୍ର ୧୦ଜଣଙ୍କୁ ଏକତ୍ରିତ ହେବାର ପରାମର୍ଶ ଦିଆଯିବ। ଏଥି ସହିତ ଧାର୍ମିକସ୍ଥଳୀକୁ ସମ୍ପୂର୍ଣ୍ଣ ରୂପେ ସାନିଟାଇଜ କରିବା ଉପରେ ମଧ୍ୟ ଧ୍ୟାନ ଦିଆଯିବ। ତାଙ୍କର ଏହି ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରିବେ ବୋଲି ଦିଦି ଆଶା ପ୍ରକଟ କରିଛନ୍ତି। ମମତାଙ୍କ ପୂର୍ବରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଜୁନ୍ ପହିଲାରୁ ଧାର୍ମିକସ୍ଥଳୀ ଖୋଲିବାକୁ ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ।

ସୂଚନାଯୋଗ୍ୟ, ଆସନ୍ତା ଜୁନ୍ ୮ ତାରିଖରୁ ସମସ୍ତ ସରକାରୀ ଓ ଘରୋଇ କର୍ମଚାରୀ କାମରେ ଯୋଗଦେବେ ବୋଲି ମମତା ଘୋଷଣା କରିଛନ୍ତି। ଜୁନ୍ ୧ରୁ ସମସ୍ତ କର୍ମଚାରୀଙ୍କ ସହ ଝୋଟ ଇଣ୍ଡଷ୍ଟ୍ରୀ ଖୋଲି ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ଏଥି ସହିତ ରାଜ୍ୟ ରାଜମାର୍ଗ ଓ ଜିଲ୍ଲାର ସଡ଼କକୁ ମଧ୍ୟ ପୁନର୍ବାର ଖୋଲାଯିବ।