ଚଳିତ ବର୍ଷ ୭୭.୨ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଏବର୍ଷ ଝାରସୁଗୁଡ଼ା ଜିଲ୍ଲାରେ ପାସହାର ୭୭.୨ ପ୍ରତିଶତ ରହିଛି। ହେଲେ ଗତ ୩ ବର୍ଷର ରେଜଲ୍ଟକୁ ଅନୁଧ୍ୟାନ କଲେ ଚଳିତବର୍ଷ ପୂର୍ବ ବର୍ଷ ତୁଳନାରେ ପ୍ରାୟ ୯ ପ୍ରତିଶତ କମ୍ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଚଳିତ ବର୍ଷ ଜିଲ୍ଲାରେ ୧୧୭ଟି ସ୍କୁଲର ମୋଟ ୬,୫୭୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୨,୧୬୬ ଜଣ ଛାତ୍ର ଓ ୨,୭୭୭ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଏ୧ ଗ୍ରେଡରେ ୨ ଜଣ, ଏ୨ ଗ୍ରେଡରେ ୫୪ ଜଣ, ବି୧ ଗ୍ରେଡରେ ୧୬୭ ଜଣ, ବି୨ ଗ୍ରେଡରେ ୩୩୫ ଜଣ, ସି ଗ୍ରେଡରେ ୬୦୯ ଜଣ, ଡି ଗ୍ରେଡରେ ୧,୦୯୮ ଜଣ ଓ ଇ ଗ୍ରେଡରେ ୨,୬୭୮ ଜଣ ରହିଛନ୍ତି। ଅନ୍ୟପଟେ ୧,୪୬୬ ଜଣ ଫେଲ ହୋଇଛନ୍ତି। ତେବେ ଚଳିତ ବର୍ଷ ରେଜଲ୍ଟକୁ ନେଇ ଜିଲ୍ଲାର କିଛି ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିବା ସହ ସେମାନଙ୍କୁ ବହୁତ କମ୍ ମାର୍କ ପ୍ରଦାନ କରାଯାଇଛି ବୋଲି କହିଛନ୍ତି। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନା ପଣ୍ଡାଙ୍କୁ ପଚାରିବାରୁ କହିଛନ୍ତି, ଯେଉଁ ଛାତ୍ରଛାତ୍ରୀମାନେ କୌଣସି ତୃଟି ଯୋଗୁ ତାଙ୍କର ମାର୍କ କମ ଆସିଛି ବୋଲି ଭାବୁଛନ୍ତି ସେମାନେ ନିଜ ବିଦ୍ୟାଳୟକୁ ଯାଇ ପ୍ରଧାନଶିକ୍ଷକଙ୍କ ସହୟତାରେ ରିଚେକିଂ ଓ ଖାତର ଜେରକ୍ସ କପି ପାଇଁ ଆବେଦନ କରିପାରିବେ। ଫଳରେ ଛାତ୍ରଛାତ୍ରୀଙ୍କ ଖାତକୁ ପୁନଃଯାଞ୍ଚ କରାଯାଇ ସେମାନଙ୍କୁ ଉପଯୁକ୍ତ ମାର୍କ ପ୍ରଦାନ କରାଯାଇପାରିବ।