ଗଞ୍ଜାମ,ଏନ୍ଏନ୍ଏସ୍ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଖରିଡ଼ା ଗ୍ରାମରେ କ୍ରିକେଟ ଖେଳ ବେଳେ ସାମାନ୍ୟ ବଚସାରୁ ଉତକ୍ଷିପ୍ତ ଜଣେ ସାଙ୍ଗ ଅନ୍ୟ ଜଣେ ସାଙ୍ଗକୁ ବ୍ୟାଟରେ ପିଟିବା ଫଳରେ ସାଙ୍ଗର ମୃତ୍ୟୁ ଘଟିଛି । ମୃତ ନାବାଳକଙ୍କ ନାମ ବିଭୂ ସେଠୀ । ୧୩ ବର୍ଷିୟ ବିଭୂ ଖରିଡ଼ା ଗ୍ରାମର କେଶବ ସେଠୀଙ୍କ ପୁଅ । ସେ ହିଞ୍ଜିଳି ବ୍ଲକ୍ ଶାସନ ଆମ୍ବଗାଁ’ ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ନାବାଳକକୁ ପୋଲିସ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି ।
ସୂଚନା ଅନୁଯାୟୀ, କ୍ରିକେଟ୍ ଖେଳୁଥିବା ସମୟରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତେଜିତ ହୋଇ ନାବାଳକ ଜଣକ ତା’ର ସାଙ୍ଗ ବିଭୂ ସେଠୀ (୧୩)କୁ ବ୍ୟାଟରେ ପିଟିବା ଫଳରେ ତା’ର କାନ ମୁଣ୍ଡାରେ ଶକ୍ତ ଆଘାତ ଲାଗିଥିଲା । ଫଳରେ ସେ ଗୁରୁତର ହୋଇ ପଡିଥିଲା । ତୁରନ୍ତ ତାକୁ ଚିକିତ୍ସା ନିମନ୍ତେ ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ହେଲେ ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଖବର ପାଇ ହିଞ୍ଜିଳିକାଟୁ ପୋଲିସ ମେଡିକାଲରେ ପହଂଚି ବିଭୂଙ୍କ ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି ।
ମୃତ ନାବାଳକଙ୍କ ଜେଜେ ବିଜୟ ସେଠୀଙ୍କ ଏତଲା କ୍ରମେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଥିବା ନେଇ ଥାନା ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି । ନାବାଳକକୁ ଥାନାରେ ଅଟକ ରଖି ଅଧିକ ପଚରା ଉଚୁରା ଜାରୀ ରହିଛି । ତାକୁ ଜୁଭୋଇଲ୍ କୋର୍ଟରେ ହାଜର କରାଯିବ ବୋଲି ସେ କହିଛନ୍ତି ।