ଆଙ୍କରା,ଏଜେନ୍ସି: ପୁଣି ଭୂକମ୍ପରେ ଥରିଲା ତୁର୍କୀ । ଗତକାଲି(ଗୁରୁବାର) ସନ୍ଧ୍ୟା ସମୟରେ ସିରିଆ ସୀମାବର୍ତ୍ତୀ ଦକ୍ଷିଣ ତୁର୍କୀର ହାଟାଇ ପ୍ରଦେଶରେ ୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ସନ୍ଧ୍ୟା ୬ଟା ୫୩ ମିନିଟ ସମୟରେ ହାଟାଇ ପ୍ରଦେଶର ଡିଫେନ ଜିଲ୍ଲାରେ ଭୂକମ୍ପ ହୋଇଥିବା ବେଳେ ଏହାର ଗଭୀରତା ୯.୭ କିଲୋମିଟର ରହିଥିବା ରେକର୍ଡ କରାଯାଇଛି। ଏନେଇ ଦେଶର ବିପର୍ଯ୍ୟୟ ଏବଂ ଜରୁରୀକାଳୀନ ପରିଚାଳନା ପ୍ରାଧିକରଣ ତରଫରୁ ସୂଚନା ପ୍ରଦାନ କରାଯାଇଛି।
ଭୂକମ୍ପରେ କାହାର ମୃତ୍ୟୁ ହୋଇନାହିଁ: ବର୍ତ୍ତମାନ ସୁଦ୍ଧା ଭୂକମ୍ପରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି । ଗତ ଫେବୃଆରୀ ୬ ତାରିଖରେ ତୁର୍କୀର ଦକ୍ଷିଣ ପ୍ରଦେଶର କାହରାମନମାରସରେ ୭.୭ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଥିଲା । ପରେ ୭.୬ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ହୋଇଥିଲା। ଏହାପରେ ପୁରା ଛାରଖାର ହୋଇପଡିଥିଲା ତୁର୍କୀ ଓ ମଧ୍ୟପ୍ରାଚ୍ୟ ଦେଶ ସିରିୟା । ତୁର୍କୀର ମୋଟ ୧୦ଟି ପ୍ରଦେଶ ଭୂକମ୍ପରେ ଗମ୍ଭୀର ଭାବେ ପ୍ରଭାବିତ ହୋଇଛି । ଗୋଟିଏ ପଟେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇସାରିଥିବା ବେଳେ ବାରମ୍ବାର ଭୂକମ୍ପ ଅନୁଭୂତ ହେବା ସ୍ଥିତିକୁ ସଙ୍ଗୀନ କରିଥିଲା । ଗତ ୨୧ ତାରିଖରେ ମଧ୍ୟ ଭୂକମ୍ପରେ ଥରିଲା ତୁର୍କୀ ଓ ସିରିୟା । ଦୁଇ ଦୁଇ ଥର ଶକ୍ତିଶାଳୀ ଭୂମିକମ୍ପ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ଶତାଧିକ ଆହତ ହୋଇଥିଲେ । ତୁର୍କୀର ଦକ୍ଷିଣ ହାଟାଇ ପ୍ରଦେଶରେ ୬.୪ ତୀବ୍ରତା ଓ ପରେ ୫.୮ ତୀବ୍ରତାର ଭୂକମ୍ପ ହୋଇଥିଲା।
ମୃତ୍ୟୁ ସଂଖ୍ୟା ୪୭,୦୦୦: ତୁର୍କୀ ଓ ସିରିୟାରେ ଫେବୃଆରୀ ୬ ତାରିଖରେ ଶକ୍ତିଶାଳୀ ଭୂକମ୍ପ ପରେ ବଡବଡ ଅଟ୍ଟାଳିକା ମାନ ଭୁଶୁଡି ପଡିଥିଲା । ଫଳରେ ଅନେକ ଜୀବନ ଭଙ୍ଗା ଘରେ ଚାପି ହୋଇରହିଯାଇଥିଲା । ଉଦ୍ଧାର କାର୍ଯ୍ୟ ଜାରି ରହିବା ସହ ପ୍ରତ୍ୟେକ ଦିନ ମୃତ୍ୟୁ ହଜାର ହଜାର ମୃତଦେହ ଉଦ୍ଧାର ହୋଇଥିଲା । ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ୪୭ ହଜାରରେ ପହଞ୍ଚି ଥିବା ସୂଚନା ମିଳିଛି । କେବଳ ତୁର୍କୀରେ ମୃତ୍ୟୁ ସଂଖ୍ୟା ୪୩,୫୫୬ ରହିଛି।