ଫ୍ରେଞ୍ଚ୍ ଓପନ୍‌: ପ୍ରଥମ ରାଉଣ୍ଡ୍‌ରୁ ଥିମ୍‌, ଜାବେଉର୍ ଓ ମୁଗୁରୁଜା ବିଦା

ପ୍ୟାରିସ୍‌,ଏଜେନ୍ସି: କ୍ଲେକୋର୍ଟ ଗ୍ରାଣ୍ଡ୍‌ସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ ଫ୍ରେଞ୍ଚ୍ ଓପନ୍ ରବିବାରଠାରୁ ସ୍ଥାନୀୟ ରୋଲାଣ୍ଡ୍ ଗାରୋସ୍‌ରେ ଆରମ୍ଭ ହୋଇଛି। ଟୁର୍ଣ୍ଣାମେଣ୍ଟ୍‌ର ପ୍ରଥମ ଦିନରେ ଦୁଇଥରର ରନର୍ସଅପ୍ ଡୋମିନିକ୍ ଥିମ୍‌, ଷଷ୍ଠ ସିଡ୍ ଓନସ୍ ଜାବେଉର୍ ଏବଂ ଟୁର୍ଣ୍ଣାମେଣ୍ଟ୍‌ର ସବୁଠୁ ବୟସ୍କା ଖେଳାଳି ଗାର୍ବିନ୍ ମୁଗୁରୁଜା ପ୍ରଥମ ରାଉଣ୍ଡ୍‌ରୁ ବିଦାୟ ନେଇଛନ୍ତି। ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ୨୦୨୦ ୟୁଏସ୍ ଓପନ୍ ଚାମ୍ପିଅନ୍ ଥିମ୍ ବଲିଭିଆର ହ୍ୟୁଗୋ ଡେଲିଏନ୍‌ଙ୍କଠାରୁ ୬-୩, ୬-୨, ୬-୪ ସିଧା ସେଟ୍‌ରେ ପରାଜିତ ହୋଇଛନ୍ତି। ମାର୍ଚ୍ଚରେ କୋର୍ଟକୁ ପ୍ରତ୍ୟାବର୍ତ୍ତନ କରିଥିବା ଥିମ୍ ପାଞ୍ଚଟି ଉଦ୍ୟମ ସତ୍ତ୍ୱେ ଗୋଟିଏ ବି ବିଜୟ ହାସଲ କରିନଥିବା ବେଳେ ଟୁର୍ ଲେଭଲ୍ ମ୍ୟାଚ୍‌ରେ ଲଗାତର ୧୦ଟି ମ୍ୟାଚ୍‌ରେ ପରାଜିତ ହୋଇଛନ୍ତି। ଅନ୍ୟପକ୍ଷରେ ବିଶ୍ୱର ୮୭ ନଂ. ଖେଳାଳି ଡେଲିଏନ୍‌ଙ୍କର ଗ୍ରାଣ୍ଡସ୍ଲାମ୍ ମୁଖ୍ୟ ଡ୍ର’ରେ ଏହା ତୃତୀୟ ବିଜୟ। ୨୦୧୯ରେ ସେ ଫ୍ରେଞ୍ଚ୍ ଓପନ୍ ଓ ୟୁଏସ୍ ଓପନ୍ ଦ୍ୱିତୀୟ ରାଉଣ୍ଡ୍‌ରେ ପହଞ୍ଚିଥିଲେ।

ରବିବାର ଖେଳାଯାଇଥିବା ମହିଳା ସିଙ୍ଗଲ୍ସର ଏକ ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ୫୬ ର‌୍ୟାଙ୍କର ଖେଳାଳି ପୋଲାଣ୍ଡ୍‌ର ମାଗ୍‌ଦା ଲିଲେନ୍‌ଙ୍କଠାରୁ ଷଷ୍ଠ ସିଡ୍ ଟ୍ୟୁନିସିଆର ଓନସ୍ ଜୁବେଉର୍ ୩-୬, ୭-୬ (୭/୪), ୭-୫ ସେଟ୍‌ରେ ପରାଜିତ ହୋଇଛନ୍ତି। ଚଳିତ ବର୍ଷର ମାଦ୍ରିଦ୍ ଓପନ୍ ବିଜେତା ଜୁବେଉର୍ ୨୮ ମିନିଟ୍‌ର ମ୍ୟାଚ୍‌ରେ ୨୪ଟି ଅନ୍‌ଫୋର୍ସଡ୍ ଏରର୍ କରିଥିଲେ। ଲିନେଟ୍ ପରବର୍ତ୍ତୀ ରାଉଣ୍ଡ୍‌ରେ ଇଟାଲୀର ମାର୍ଟିନା ଟ୍ରେଭିସାନ୍ କିମ୍ବା ବ୍ରିଟେନ୍‌ର ହାରିଏଟ୍ ଡାର୍ଟଙ୍କୁ ଭେଟିବେ। ସେହିପରି ପୂର୍ବତନ ଫ୍ରେଞ୍ଚ୍ ଓପନ୍ ଚାମ୍ପିଅନ୍ ତଥା ଟୁର୍ଣ୍ଣାମେଣ୍ଟ୍‌ର ବୟସ୍କା ଖେଳାଳି ଗାର୍ବିନ୍ ମୁଗୁରୁଜା ଅନ୍ୟ ଏକ ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ଏସ୍ତୋନିଆର କାଇଆ କାନେପିଙ୍କଠାରୁ ପରାଜିତ ହୋଇଛନ୍ତି। ୨୦୦୮ ଓ ୨୦୧୨ର ଫ୍ରେଞ୍ଚ୍ ଓପନ କ୍ୱାର୍ଟର୍ ଫାଇନାଲିଷ୍ଟ ୩୭ ବର୍ଷୀୟା କାନେପି ୨-୬, ୬-୩, ୬-୪ ସେଟ୍‌ରେ ମୁଗୁରୁଜାଙ୍କୁ ହରାଇ ଦେଇଥିଲେ। ପରବର୍ତ୍ତୀ ରାଉଣ୍ଡ୍‌ରେ ସେ ବ୍ରାଜିଲ୍‌ର ବିଟ୍ରିଜ୍ ହଦାଦ୍ ମାଇଆଙ୍କୁ ଭେଟିବେ।

ସେହିପରି ଅନ୍ୟ ପୁରୁଷ ଖେଳାଳିଙ୍କ ମଧ୍ୟରେ ଜନ୍ ଇସ୍‌ନର୍‌, ଫେଲିକ୍ସ ଆଗୁର ଆଲିଆସିମ୍ ଓ ଗ୍ରୀଗୋର୍ ଦିମିତ୍ରୋଭ୍ ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି। ମହିଳା ବିଭାଗରେ କାତେରିନା ସିନିଆକୋଭା, କାରୋଲିନା ମୁଚୋଭା, ସ୍ଲୋଆନ୍ ଷ୍ଟିଫେନ୍ସ ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି।