ଅନ୍‌ଲାଇନ୍ ଚାଟିଂରୁ ପ୍ରେମ; ଭାରତୀୟ ଯୁବକଙ୍କୁ ବିବାହ କରିବା ପାଇଁ ପ୍ୟାରିସରୁ ପହଞ୍ଚିଲେ ଯୁବତୀ

କୋଲକାତା,ଏଜେନ୍ସି: ଭାରତୀୟ ଯୁବକଙ୍କୁ ବିବାହ କରିବା ପାଇଁ ପ୍ୟାରିସ ନିବାସୀ ପେଟ୍ରିଶିୟା ସାତ ସମୁଦ୍ର ଅତିକ୍ରମ କରି ପଶ୍ଚିମବଙ୍ଗ ପହଞ୍ଚିଛନ୍ତି । ସେ ବଙ୍ଗାଳୀ ରିତିନୀତି ଅନୁସାରେ ହୁଗୁଳି ଜିଲ୍ଲାର ପାଣ୍ଡୁଆସ୍ଥିତ କାଳୀମନ୍ଦିରରେ ନିଜର ଆଶା ପୂରା କରିଛନ୍ତି ।

ସୂଚନାଯୋଗ୍ୟ ୪ ମାସ ପୂର୍ବରୁ ସୋସିଆଲ ନେଟୱାର୍କିଂ ସାଇଟ ଦ୍ୱାରା ଯୁବକ-ଯୁବତୀ ସାକ୍ଷାତ ହୋଇଥିଲେ । ଏହା ପରେ ଉଭୟ ଅନ୍‌ଲାଇନ ଚାଟିଂ କରିବା ଆରମ୍ଭ କରିଦେଇଥିଲେ । ଏହାରି ମଧ୍ୟରେ ସେମାନଙ୍କର ମଧ୍ୟରେ ସୃଷ୍ଟି ହୋଇଥିଲା ପ୍ରେମ । ହୁଗୁଳିର ପାଣ୍ଡୁଆ ନିବାସୀ କୁନ୍ତଳ ଭଟ୍ଟାଚାର୍ଯ୍ୟଙ୍କୁ ଫ୍ରାନ୍ସର ରାଜଧାନୀ ପ୍ୟାରିସ ନିବାସୀ ଯୁବତୀ ପେଟ୍ରିଶିୟାଙ୍କୁ ପ୍ରେମ ହେଲା ।

ପେଟ୍ରିଶିୟା ମା’ କାଳୀଙ୍କ ଜଣେ ବଡ଼ ଭକ୍ତ ଏବଂ ତେଣୁ ତାଙ୍କର ବିବାହ ମନ୍ଦିରରେ ହେଉ ବୋଲି ସେ ଇଚ୍ଛା ପ୍ରକାଶ କରିଥିଲେ । ପ୍ରେମିକାଙ୍କ ପରାମର୍ଶରେ ପ୍ରେମିକ ରାଜି ହୋଇଥିଲେ ଏବଂ କାଳୀ ମନ୍ଦିରରେ ବିବାହର ଆୟୋଜନ କରାଯାଇଥିଲା । ଏହି ବିବାହ ବଂଗାଳୀ ରୀତିନୀତି ଅନୁସାରେ ହୋଇଥିଲା । ଉଭୟ ନିର୍ଦ୍ଧାରିତ ସମୟରେ ପହଞ୍ଚି ଥିଲେ । ସାଥୀରେ ପରିବାର ଲୋକ ଓ ଅତିଥିମାନେ ମଧ୍ୟ ଆସିଥିଲେ । କୁନ୍ତଳ ବଂଗାଳୀ କୁର୍ତ୍ତା-ପାଇଜାମା ପିନ୍ଧିଥିଲେ । ପେଟ୍ରିଶିୟା ନାଲି ରଂଗର ସାଢ଼ି ପିନ୍ଧି ଥଲେ । ଉଭୟ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲେ ।

କୁନ୍ତଳ କହିଛନ୍ତି ଯେ, ଦିଲ୍ଲୀର ଏକ ବହୁରାଷ୍ଟ୍ରୀୟ କଂପାନିରେ ଚାକିରି କରିବା ସମୟରେ ସାମାଜିକ ନେଟୱାର୍କିଂ ଜରିଆରେ ପେଟ୍ରିଶିଆଙ୍କ ସହିତ ସାକ୍ଷାତ ହୋଇଥିଲା । ଧୀରେ ଧୀରେ ଅନଲାଇନ ଚାଯିଂ ମାଧ୍ୟମରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ଏହା ପରେ ସେମାନେ ନିଷ୍ପତ୍ତି ନେଲେ ଯେ, ଆଗାମୀ ଜୀବନ ଏକାଠି ହୋଇ ବଞ୍ଚିବେ ।