ଖୁବ୍‌ଶୀଘ୍ର ସରିବ ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀ କାର୍ଯ୍ୟ

ଭୁବନେଶ୍ବର,ଏନ୍ଏନ୍ଏସ୍: ଖୁବ୍‌ଶୀଘ୍ର ଶେଷ ହେବାକୁ ଯାଉଛି ଓଡିଶା ରାଜ୍ୟ ସଂଗ୍ରହାଳୟରେ ହେବାକୁ ଥିବା ଗାନ୍ଧୀ ଗ୍ୟାଲେରୀ ଓ ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀ । ଗ୍ୟାଲେରୀ ର୍ନିମାଣ କାର୍ଯ୍ୟ ଚଳିତ ମାସ ଶେଷ ସୁଦ୍ଧା ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଆ, ଭାଷା, ସାହିତ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ । ଏନେଇ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅତିରିକ୍ତ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ସମଗ୍ର ବିଶ୍ୱରେ ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ରାଜ୍ୟସ୍ତରୀୟ କମିଟିର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ମ୍ୟୁଜିୟମରେ ଗାନ୍ଧୀ ଗ୍ୟାଲେରୀ ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲେ । ଏଥିଲାଗି ଇନ୍‍ଟାକକୁ ଦାୟିତ୍ୱ ଦିଆଯାଇଥିଲା । ଇନ୍‍ଟାକ ବିଶେଷଜ୍ଞମାନଙ୍କ ସହ ଆଲୋଚନା ପରେ ଗାନ୍ଧୀ ଗ୍ୟାଲେରୀ ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଥିଲା । ସେହିଭଳି ଓଡିଶାରେ ସ୍ୱାଧୀନତା ସଂଗ୍ରାମ ଶୀର୍ଷକ ଅନ୍ୟ ଏକ ଗ୍ୟାଲେରୀର ପ୍ରସ୍ତୁତି କାମ ମଧ୍ୟ ଇନ୍‍ଟାକ କରୁଛି । ଦୁଇଟି ଯାକ ଗ୍ୟାଲେରୀର ନିର୍ମାଣ କାର୍ଯ୍ୟ ଏକ ପ୍ରକାର ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏଥିରେ ବହୁ ତ୍ରୁଟି ପରିଲକ୍ଷିତ ହୋଇଛି । ବିଶେଷଜ୍ଞମାନେ ତ୍ରୁଟି ସଂଶୋଧନ ଲାଗି ପୂର୍ବରୁ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ।

ନିର୍ମିତ କେତେକ ପ୍ରତିମୂର୍ତ୍ତି ଠିକ୍‍ ନଥିବା ଏବଂ ଆଉ କେତେକ ଛବିରେ ଗୁରୁତର ତ୍ରୁଟିଥିବା ନଜରକୁ ଆସିଛି । ଇତି ମଧ୍ୟରେ ଉନ୍ନୟନ କମିଶନର ପ୍ରଦୀପ ଜେନା ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ରାଜ୍ୟ ସଂଗ୍ରହାଳୟକୁ ଆସି ତ୍ରୁଟି ବିଚ୍ୟୁତି ଗୁଡିକ ଦେଖିବା ପରେ ତୁରନ୍ତ ଠିକଣା ଭାବେ ଏହି ଗୌରବାବହ ସ୍ମାରକୀର ନିର୍ମାଣ କାର୍ଯ୍ୟ କରିବାକୁ ମତବ୍ୟକ୍ତ କରିଛନ୍ତି । ଏ ସଂକ୍ରାନ୍ତରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିଷୟ ବିଶେଷଜ୍ଞ ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି । ଇନ୍‍ଟାକ ଓ ରାଜ୍ୟ ସଂଗ୍ରହାଳୟ କର୍ତ୍ତୃପକ୍ଷ ସମନ୍ୱୟ ରକ୍ଷା କରିବା ସହ ବିଶେଷଜ୍ଞମାନଙ୍କ ପରାମର୍ଶ ନେଇ ନିର୍ମାଣ କାର୍ଯ୍ୟ ଚଳିତମାସ ଶେଷ ସୁଦ୍ଧା ଚୂଡାନ୍ତ କରିବାକୁ ସ୍ଥିର ହୋଇଛି ।