ନୂଆଦିଲ୍ଲୀ,ଏଜେନ୍ସି: ଗତ ସପ୍ତାହରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାଗଣା ରାସନ୍ ଅର୍ଥାତ୍ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଗାମୀ ୮ ମାସ ଯାଏ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। ଏ ନେଇ ସାରା ଦେଶରେ ଚର୍ଚ୍ଚା ଜାରି ରହିଥିଲା। ଏବେ ବି ଦେଶରେ କରୋନା ମାମଲା ସମ୍ପୂର୍ଣ୍ଣ ରୁପେ କମିନାହିଁ । ଦେଶର ଲକ୍ଷ ଲକ୍ଷ ଗରିବ ସାଧାରଣ ଶ୍ରମିକ କାମ ପାଇ ପାରିନାହାନ୍ତି। ଏପରିସ୍ଥିତିରେ ଆଗାମୀ ୮ ମାସ ପାଇଁ ମାଗଣା ରାସନ୍ ଯୋଜନାକୁ ବୃଦ୍ଧି କରିବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅବଗତ କରାଇଥିଲେ।
ଏ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ରୀୟ କ୍ୟାବିନେଟ୍ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଗାମୀ ୪ ମାସ ପର୍ଯ୍ୟନ୍ତ ଅର୍ଥାତ୍ ୩୧, ମାର୍ଚ୍ଚ ୨୦୨୨ ଯାଏ ବୃଦ୍ଧି କରିଛନ୍ତି। ସୂଚନାଯୋଗ୍ୟ ଯେ କରୋନା କାଳରେ ଆରମ୍ଭ କରାଯାଇଥିବା ଏହି ଯୋଜନା ଜରିଆରେ ଦେଶର କୋଟି କୋଟି ଗରିବଙ୍କୁ ମାଗଣାରେ ରାସନ ବଣ୍ଟନ କରାଯାଉଥିଲା। ଯାହା ପରବର୍ତ୍ତୀ ସମୟରେ ୩୧, ଡିସେମ୍ବର ୨୦୨୦ ଯାଏ ବୃଦ୍ଧି କରାଯାଇଥିଲା। ଆଜି କେନ୍ଦ୍ର କ୍ୟାବିନେଟ୍ ଏହି ଯୋଜନାକୁ ଜାରି ରଖିବା ପ୍ରସ୍ତାବ ଉପରେ ମୋହର ମାରିଛି। ଫଳରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ) ଅଧୀନରେ ଆସୁଥିବା ସମସ୍ତ ହିତାଧିକାରୀ ଡିସେମ୍ବର ୨୦୨୧ ଠାରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେୱାଇ) ଯୋଜନା ଅଧୀନରେ ମାଗଣାରେ ଖାଦ୍ୟଶସ୍ୟ ପାଇପାରିବେ। ସମସ୍ତ ହିତାଧିକାରୀମାନଙ୍କୁ ଆସନ୍ତା ୪ ମାସ ପାଇଁ ଯୋଜନାର ପଞ୍ଚମ ପର୍ଯ୍ୟାୟ ସମ୍ପ୍ରସାରଣର ଲାଭ ମିଳିବ। ଅନ୍ତ୍ୟୋଦୟ ଅନ୍ନ ଯୋଜନା ଏବଂ ପ୍ରାଥମିକ ପରିବାର ସମେତ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଯୋଜନାର ହିତାଧିକାରୀ ପରିବାର ମଧ୍ୟ ଏହାର ଲାଭ ପାଇପାରିବେ।