ପୁରୀ,ଏନ୍ଏନ୍ଏସ୍: ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱକୁ ନୂଆ ରୂପରେଖ ଦିଆଯିବ। ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଥିବା ୩ ଦିନିଆ ଯଜ୍ଞ ପୂଜାବିଧିର ଅନ୍ତିମ ଦିବସରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଶ୍ରୀମନ୍ଦିର ଉତ୍ତରଦ୍ୱାର ଐଶାନ୍ୟ କୋଣରେ ଚାଲିଛି ମହାଯଜ୍ଞ। ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ପରେ ଶ୍ରୀମନ୍ଦିର ଇତିହାସରେ ଲେଖାହେବ ନୂଆ ଅଧ୍ୟାୟ। ବାସ୍ତବ ରୂପ ନେବ ଶ୍ରୀମନ୍ଦିର ଶ୍ରୀ ବୃଦ୍ଧି ପାଇଁ ସ୍ୱତନ୍ତ୍ର ନକ୍ସା।
ଉତ୍ତର ପାର୍ଶ୍ୱ ମଠ ସମ୍ମୁଖ ଯଜ୍ଞ ମଣ୍ଡପରେ ଶାସ୍ତ୍ର ଅନୁସାରେ ଚାଲିଛି ଯଜ୍ଞ। ଗଜପତି ମହାରାଜ ଯଜ୍ଞର କର୍ତ୍ତା ଥିବା ବେଳେ ୩୩ ଜଣ ଶ୍ରୋତ୍ରୀୟ ବ୍ରାହ୍ମଣ ନିୟୋଜିତ ହୋଇଥିଲେ। ଶ୍ରୀମନ୍ଦିର ଚାରିପାଖ ସୁରକ୍ଷା କରିଡର ସହ ସୃଷ୍ଟି ହେବ ସବୁଜ ବଳୟ। ଚାରିପାଖେ ଥିବା ମଠ ଏବଂ ମନ୍ଦିର ଗୁଡ଼ିକର ପୁନଃବିକାଶ ହେବ। ଭକ୍ତଙ୍କ ସାମଗ୍ରୀ ରଖିବା ପାଇଁ ସ୍ୱତନ୍ତ୍ର ଗୃହ, ସୂଚନା ଓ ଦାନ କେନ୍ଦ୍ର କରାଯିବ। ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଆରକ୍ଷୀ ସେବା କେନ୍ଦ୍ର ରହିବ।
ପାନୀୟଜଳ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଏବଂ ଏ.ଟି.ଏମ୍ ବ୍ୟବସ୍ଥା କରାଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ରୁ ଆରମ୍ଭ ହୋଇଥିଲା ଜମି ଅଧିଗ୍ରହଣ ପ୍ରକ୍ରିୟା। ପ୍ରାୟ ୯୬ ପ୍ରତିଶତ ସରିଛି ଜମି ଅଧିଗ୍ରହଣ କାମ। ସାଆନ୍ତେଙ୍କ ପାଇଁ ସ୍ୱଇଚ୍ଛାରେ ଜମି ଦେଇଥିଲେ ଶ୍ରୀକ୍ଷେତ୍ରବାସୀ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶା ପାଇଁ ଆଜି ଐତିହାସିକ ଦିନ। ଏହାସହ ସାରା ବିଶ୍ୱର ଜଗନ୍ନାଥ ପ୍ରେମୀଙ୍କ ପାଇଁ ଆଜିର ଦିନ ସ୍ମରଣୀୟ।
ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗଜପତି ମହାରାଜ ଦିବ୍ୟସିଂହ ଦେବ, ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ମାନ୍ୟଗଣ ବ୍ୟକ୍ତି ଯୋଗଦେଇଛନ୍ତି। ପରିକ୍ରମା ପ୍ରକଳ୍ପର ଅନାବରଣ କାର୍ଯ୍ୟ ମଧ୍ୟ କରାଯାଇଛି। ଏଥିସହ ମହାପ୍ରଭୁଙ୍କ ପାଇଁ ଜମି ଦାନ କରିଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ କରାଯାଇଛି। ପ୍ରକଳ୍ପ ଶିଳାନ୍ୟାସ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ପାଇଁ ଆଜି ଏକ ଐତିହାସିକ ଦିନ। ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ସାକାର ହେବାକୁ ଯାଉଛି। ମହାଯଜ୍ଞସ୍ଥଳରେ ଗଜପତି ମହାରାଜଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯାଇଛି।